Categories: ଖେଳ

ବର୍ଷର ଶ୍ରେଷ୍ଠ ଆଇସିସି ଟେଷ୍ଟ ଦଳରେ ୩ ଭାରତୀୟ

ଦୁବାଇ,୨୦।୧: ୨୦୨୧ ବର୍ଷ ଲାଗି ଘୋଷିତ ଆଇସିସି ଟେଷ୍ଟ ଦଳରେ ୩ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଓପନର ରୋହିତ ଶର୍ମା, ଉଇକେଟକିପର ରିଷଭ ପନ୍ତ ଓ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏଥିପୂର୍ବରୁ ଘୋଷିତ ଆଇସିସି ଦିନିକିଆ ଏବଂ ଟି୨୦ ଦଳରେ କୌଣସି ଭାରତୀୟ ଦଳର ଖେଳାଳିଙ୍କୁ ସ୍ଥାନ ମିଳି ନ ଥିଲା।

ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଆଇସିସି ପୁରୁଷ ଟି୨୦ ଦଳରେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ସେହିଭଳି ଆଇସିସି ଦିନିକିଆ ଦଳରେ ମଧ୍ୟ ସ୍ଥାନ ପାଇବାରେ ବିଫଳ ହୋଇଥିଲେ ଭାରତୀୟ ଖେଳାଳି। ତେବେ ଏହା ଚକିତକର ଘଟଣା ନୁହେଁ। କାରଣ ପୂରା ବର୍ଷରେ ଭାରତ ମାତ୍ର ୬ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲା। କିନ୍ତୁ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ଥିବା ଭାରତୀୟ ଦଳର ୩ ଖେଳାଳି ୨୦୨୧ ବର୍ଷର ଆଇସିସି ଦଳରେ ସ୍ଥାନ ପାଇଛନ୍ତି।

ପୂରା ବର୍ଷରେ ଭାରତ ମୋଟ ୧୪ ଟେଷ୍ଟ ଖେଳି ୮ଟି ଜିତିଥିବା ବେଳେ ୩ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିରେ ସାମିଲ ଥିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ମିଳିଥିବା ହୃଦୟ ବିଦାରକ ପରାଜୟ।

ନିକଟରେ ଭାରତୀୟ ଦିନିକିଆ ଓ ଟି୨୦ ଦଳର ନେତୃତ୍ୱ ନେଇଥିବା ରୋହିତ ୨ ଶତକ ସହ ୯୦୬ ରନ୍‌ କରିଥିଲେ। ତାଙ୍କର ଉଭୟ ଶତକ ଆସିଥିଲା ବିପରିତ ପରିସ୍ଥିତିରେ। ଅନ୍ୟପକ୍ଷରେ ପ୍ରଥମ ପସନ୍ଦ ଉଇକେଟକିପର ଭାବେ ଭାରତୀୟ ଦଳରେ ସ୍ଥାନ ପକ୍କା କରିଥିବା ପନ୍ତ ୧୨ ମ୍ୟାଚ୍‌ରେ ୭୪୮ ରନ୍‌ କରିଥିଲେ। ସେହିଭଳି ଅଶ୍ୱିନ ୯ ମ୍ୟାଚ୍‌ରେ ୫୪ ଉଇକେଟ ନେବା ସହ ୩୫୫ ରନ୍‌ କରିଥିଲେ। ଏଥିରେ ସାମିଲ ଥିଲା ଏକ ଶତକ। ଭାରତର ୩ ଖେଳାଳିଙ୍କ ବ୍ୟତୀତ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡର ଜଣେ ଲେଖାଏ ଖେଳାଳି ସ୍ଥାନ ପାଇଛନ୍ତି। ଅଧିନାୟକ କେନ ଓ୍ବିଲିୟମସନ ସମେତ ନ୍ୟୁଜିଲାଣ୍ଡର ଦୁଇ ଏବଂ ପାକିସ୍ତାନର ୩ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି।

ବର୍ଷର ଶ୍ରେଷ୍ଠ ଆଇସିସି ପୁରୁଷ ଟେଷ୍ଟ ଦଳ: ଦିମୁଥ କରୁଣାରତ୍ନେ, ରୋହିତ ଶର୍ମା, ମାର୍ନସ ଲାବୁସେନ, ଜୋ ରୁଟ, କେନ ଓ୍ବିଲିୟମସନ (ଅଧିନାୟକ), ଫଓ୍ବାଦ ଅଲାମ, ରିଷଭ ପନ୍ତ (ଉଇକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, କାଇଲ ଜେମିସନ, ହାସନ ଅଲି ଓ ଶାହୀନ ଶାହା ଆଫ୍ରିଦୀ।

Share