ନୂଆଦିଲ୍ଲୀ,୧୬।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ମାର୍ଚ୍ଚ ୨୨ ରେ ଆରମ୍ଭ ହେବାକୁ ଯାଉଛି। ଗତ ୧୭ ସିଜିନରେ ଅନେକ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇଛି। ଏଥିମଧ୍ୟରୁ କୋଲକାତା ନାଇଟ ରାଇଡର୍ସ (କେକେଆର୍) ସ୍ପିନର ସୁନୀଲ ନାରିନ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥାଏ। ନାରିନ୍ ଆଇପିଏଲ୍ରେ ରୋହିତଙ୍କୁ ୮ ଥର ଆଉଟ କରିଛନ୍ତି। ଯାହା କୌଣସି ବୋଲରଙ୍କ ଦ୍ୱାରା ବ୍ୟାଟ୍ସମ୍ୟାନଙ୍କୁ ସର୍ବାଧିକଥର ଆଉଟ୍ କରିବାର ରେକର୍ଡ।
ରେକର୍ଡ ଦେଖିଲେ ନାରିନ୍ଙ୍କ ବିପକ୍ଷରେ ରୋହିତଙ୍କ ପ୍ରଦର୍ଶନ ବହୁତ ନିରାଶାଜନକ ରହିଛି। ୨୧ ଇନିଂସରେ ରୋହିତ ତାଙ୍କ ବିପକ୍ଷରେ ମାତ୍ର ୧୪୧ ରନ କରିଛନ୍ତି, ଯାହା ୧୩୪ ବଲରୁ ଆସିଛି। ଏଥିରେ ତାଙ୍କର ଷ୍ଟ୍ରାଇକ ରେଟ୍ ମାତ୍ର ୧୦୬.୭୧ ରହିଛି। ନାରିନ୍ ରୋହିତଙ୍କୁ ୮ ଥର ଆଉଟ କରିଛନ୍ତି । ତାଙ୍କୁ କେବଳ ୨ ଛକା ଏବଂ ୧୬ ଚୌକା ମାରିବାକୁ ଦେଇଛନ୍ତି। ଏହି ସଂଖ୍ୟା ଆଇପିଏଲରେ ଯେକୌଣସି ବୋଲର-ବ୍ୟାଟ୍ସମ୍ୟାନ ଯୋଡ଼ି ପାଇଁ ସର୍ବାଧିକ।
ଆଶ୍ଚର୍ଯ୍ୟଜନକ କଥା ହେଉଛି, ରୋହିତଙ୍କ ୫ଥର ଆଉଟ୍ ମୁମ୍ବାଇ ଇଣ୍ଡିଆନ୍ସର ଘରୋଇ ପଡ଼ିଆ ୱାଙ୍ଖେଡେ ଷ୍ଟାଡିୟମରେ ହୋଇଛି। ୱାଙ୍ଖଡେରେ ନାରିନ୍ଙ୍କ ବିପକ୍ଷରେ ରୋହିତଙ୍କ ହାରାହାରି ୧୦.୪୦ ରହିଛି। ସେହି ସମୟରେ ନାରିନ୍ କେକେଆର୍ର ଘରୋଇ ପଡ଼ିଆ ଇଡେନ ଗାର୍ଡେନ୍ସରେ ରୋହିତଙ୍କୁ କେବଳ ଥରେ ଆଉଟ କରିଛନ୍ତି।
ଯଦିଓ ରୋହିତ ଶର୍ମାଙ୍କୁ ସ୍ପିନରମାନଙ୍କ ବିପକ୍ଷରେ ଖେଳିବାରେ ବିଶେଷଜ୍ଞ ବୋଲି ବିବେଚନା କରାଯାଏ, ତଥାପି ଅନେକ ସ୍ପିନର ତାଙ୍କୁ ଆଇପିଏଲ୍ରେ ଅସୁବିଧାରେ ପକାଇଛନ୍ତି। ବରିଷ୍ଠ ଲେଗ-ସ୍ପିନର ଅମିତ ମିଶ୍ରା ୧୭ ଇନିଂସରେ ରୋହିତଙ୍କୁ ୭ ଥର ଆଉଟ କରିଥିବା ବେଳେ ରଶିଦ ଖାନ ୭ ଇନିଂସରେ ୪ ଥର ତାଙ୍କୁ ପାଭିଲିୟନ ପଠାଇଛନ୍ତି।
ନାରିନ୍ ଆଇପିଏଲରେ ୧୭୭ ମ୍ୟାଚ୍ ଖେଳି ୧୮୦ ଉଇକେଟ ନେଇଛନ୍ତି, ଯେଉଁଥିରେ ତାଙ୍କର ଇକୋନୋମି ମାତ୍ର ୬.୭୩ ରହିଛି। ସେ IPLରେ ସର୍ବାଧିକ ଚାରି ଉଇକେଟ (୮) ନେବାର ରେକର୍ଡ ମଧ୍ୟ ରଖିଛନ୍ତି। ଗତ ସିଜନରେ ସେ ୧୭ ଉଇକେଟ ନେଇଥିଲେ, ଯେଉଁଥିରେ ତାଙ୍କର ଇକୋନୋମି ୬.୬୯ ଥିଲା। ସେହିପରି ରୋହିତ ଆଇପିଏଲ୍ରେ ୨୫୭ ମ୍ୟାଚ୍ ଖେଳି ୬,୬୨୮ ରନ୍ କରିଛନ୍ତି, ଯେଉଁଥିରେ ୪୩ଟି ଅର୍ଦ୍ଧଶତକ ଏବଂ ୨ଟି ଶତକ ଅନ୍ତର୍ଭୁକ୍ତ। ୨୦୨୪ ସିଜିନରେ ସେ ୩୨.୦୮ ହାରରେ ଏବଂ ୧୫୦ ଷ୍ଟ୍ରାଇକ ରେଟ୍ ସହିତ ୪୧୭ ରନ କରିଥିଲେ।


