ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ ଭିନ୍ନ ଏବଂ ଆଧୁନିକ ଅନୁଭୂତି ମିଳୁଛି। ଏହି ଢାବାରେ ଏବେ ଜଣେ ରୋବୋ ଓ୍ବେଟର ଗ୍ରାହକମାନଙ୍କୁ ଖାଦ୍ୟ ପରଷୁଥିବା ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।
ଢାବା ମ୍ୟାନେଜର ସଞ୍ଜୟଙ୍କ କହିବା ଅନୁଯାୟୀ, ବେଙ୍ଗାଲୁରୁର ଏକ ବିଶେଷଜ୍ଞ ଦଳ ସହାୟତାରେ ଏହି ରୋବୋ ପ୍ରସ୍ତୁତ କରାଯାଇଛି। ମୁରଥଲ ଆସୁଥିବା ପର୍ଯ୍ୟଟକଙ୍କୁ କେବଳ ସ୍ବାଦିଷ୍ଟ ଖାଦ୍ୟ ନୁହେଁ, ବରଂ ନୂତନ ପ୍ରଯୁକ୍ତିବିଦ୍ୟାର ଏକ ସୁନ୍ଦର ଅନୁଭୂତି ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ରୋବୋ ପରିଚାଳନା କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ରହିଛି, ଯେଉଁମାନେ ସଫ୍ଟୱେର ଏବଂ ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରୁଛନ୍ତି।
ଫାଇବରରେ ନିର୍ମିତ ଏହି ରୋବୋ ଆଖିରେ ଏଲ୍ଇଡି ଲାଇଟ୍ ଲାଗିଛି। ଏହାର ଲାଲରଙ୍ଗର ଆଲୋକ ଏହାକୁ ଏକ ଫ୍ୟୁଚରିଷ୍ଟିକ୍ ବା ଭବିଷ୍ୟତର ରୋବଟ୍ ଭଳି ରୂପ ଦେଉଛି। ଥରେ ଚାର୍ଜ କଲେ ଏହା ପ୍ରାୟ ୧.୫ ରୁ ୨ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରେ। ନେଭିଗେଶନ ସିଷ୍ଟମ ସାହାଯ୍ୟରେ ଏହା ନିଜ ପାଇଁ ନିର୍ଦ୍ଧାରିତ ରାସ୍ତାରେ ଯାଇ ନିର୍ଦ୍ଦିଷ୍ଟ ଟେବୁଲରେ ଖାଦ୍ୟ ପହଞ୍ଚାଉଛି। ଏହି ରୋବଟ୍ ଦ୍ୱାରା ସେବା ପାଇଁ ଗ୍ରାହକଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ନିଆଯାଉନାହିଁ।
ଏହି ରୋବୋ ଓ୍ବେଟର ଢାବାକୁ ଆସୁଥିବା ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। ବିଶେଷକରି ଶିଶୁମାନେ ଏହାକୁ ଦେଖି ବେଶ୍ ଆନନ୍ଦିତ ହେଉଛନ୍ତି। ରୋବଟ୍ ଖାଦ୍ୟ ଧରି ଯାଉଥିବା ସମୟରେ ଗ୍ରାହକମାନେ ମୋବାଇଲ ବାହାରକରି ଏହାର ଭିଡିଓ ରେକର୍ଡ କରିବା ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ୨ ବର୍ଷ ପୂର୍ବେ ଅହମଦାବାଦର ଏକ କାଫେରେ ମଧ୍ୟ ‘ଆଇସା’ ନାମକ ଏକ ରୋବୋ ଗ୍ରାହକଙ୍କୁ ଆଇସ୍ ଗୋଲା ପରଷି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।