ବେଜିଂ,୨୦ା୮:ଚାଇନାର ପ୍ରସିଦ୍ଧ ରୋବୋଟିକ୍ସ ସଂସ୍ଥା ‘ୟୁନିଟ୍ରି ରୋବୋଟିକ୍ସ’ ଏକ ନୂଆ ହ୍ୟୁମାନଏଡ୍ (ମଣିଷ ଭଳି ଦିଶୁଥିବା) ରୋବୋ ପ୍ରସ୍ତୁତ କରିଛି, ଯାହା ମାନବୀୟ ଶାରୀରିକ ଦକ୍ଷତାର ସମସ୍ତ ସୀମାକୁ ଅତିକ୍ରମ କରିପାରିବ ବୋଲି ଦାବି କରାଯାଇଛି। ‘ସୁପରମ୍ୟାନ୍’ ନାମରେ ନାମିତ ଏହି ଆଧୁନିକ ରୋବୋ ସିଧା ଠିଆହୋଇ ୨ ମିଟର (ପ୍ରାୟ ୬.୬ ଫୁଟ) ଉଚ୍ଚତା ପର୍ଯ୍ୟନ୍ତ ଡେଇଁପାରୁଥିବା ବେଳେ ଏହାର ସର୍ବାଧିକ ବେଗ୍ ସେକେଣ୍ଡ ପ୍ରତି ୧୨.୬୬ ମିଟର ରହିଛି। ରୋବୋର ଏହି ଗତି ଘଣ୍ଟା ପ୍ରତି ପ୍ରାୟ ୪୫.୬ କିଲୋମିଟର। ୨୦୦୯ ମସିହାରେ ୧୦୦ ମିଟର ବିଶ୍ୱ ରେକର୍ଡ ଦୌଡ଼ ସମୟରେ ବିଶିଷ୍ଟ ଧାବକ ଉସେନ ବୋଲ୍ଟଙ୍କ ଶୀର୍ଷ ବେଗ (ସେକେଣ୍ଡ ପ୍ରତି ୧୨.୪୨ ମିଟର) ତୁଳନାରେ ଏହା ଅଧିକ। ସାଧାରଣତଃ ମଣିଷର ସିଧା ଠିଆହୋଇ ଡେଇଁବା ରେକର୍ଡ ପ୍ରାୟ ୧.୮ ମିଟର ଥିବା ବେଳେ ଏହି ରୋବେ ୨ ମିଟର ଉଚ୍ଚତାକୁ ସଫଳତାର ସହ ଡେଇଁବା ସହ ସୁରକ୍ଷିତ ଭାବେ ଓହ୍ଲାଇପାରୁଛି। ରୋବୋର ଗୋଡ଼ର ଲମ୍ବ ମାତ୍ର ୦.୫ ମିଟର। ମାତ୍ର ୩ ମାସରୁ ଅଳ୍ପ ସମୟ ମଧ୍ୟରେ ଏହାକୁ ବିକଶିତ କରାଯାଇଛି। ପୂର୍ବରୁ କମ୍ପାନୀର ଏଚ୍୧ ରୋବୋ ସେକେଣ୍ଡ ପ୍ରତି ୧୦ ମିଟର ବେଗରେ ଦୌଡ଼ି ଚର୍ଚ୍ଚାକୁ ଆସିଥିଲା। ନୂତନ ରୋବୋରେ କେବଳ ଦୌଡ଼ିବା ନୁହେଁ, ବରଂ ଏହାର ଚପଳତା, ଭାରସାମ୍ୟ ଏବଂ ଉଚ୍ଚ ଡିଆଁ ମାରିବାର କ୍ଷମତାକୁ ଅଧିକ ସୁଦୃଢ଼ କରାଯାଇଛି। ତେବେ ଏହି ସମସ୍ତ ତଥ୍ୟ କମ୍ପାନୀର ନିଜସ୍ବ ପରୀକ୍ଷଣ ଏବଂ ଡେମୋ ଭିଡିଓ ଉପରେ ଆଧାରିତ। ନିୟନ୍ତ୍ରିତ ପରିବେଶ ବାହାରେ ଏହି ରୋବୋ ସମାନ ଦକ୍ଷତା ବଜାୟ ରଖିପାରିବ କି ନାହିଁ, ସେ ନେଇ କୌଣସି ସ୍ବାଧୀନ ସଂସ୍ଥା ଦ୍ୱାରା ଯାଞ୍ଚ କରାଯାଇ ନାହିଁ।