Categories: ଫୁରସତ

ପାଦ ଦୁର୍ଗନ୍ଧରେ ବେହୋସ୍‌ ହୁଏ ରୋବୋ ଡଗ୍‌

ପାଦ ଦୁର୍ଗନ୍ଧ ସମସ୍ୟା ଅନେକଙ୍କଠାରେ ପରିଲକ୍ଷିତ ହୁଏ। ଜାପାନରେ ତ ଏହି ସମସ୍ୟା ଅଧିକ ପରିଲକ୍ଷିତ ହୁଏ। ତେଣୁ କାହାରି ଘରକୁ ପ୍ରବେଶ କରିବା ପୂର୍ବରୁ ଜୋତାକୁ ବାହାରେ ରଖିବା ଅନିବାର୍ଯ୍ୟ ଥାଏ। ଏବେ ଏଠାରେ ଏହି ସମସ୍ୟାକୁ ଦୂର କରିବା ପାଇଁ ତିଆରି କରାଯାଇଛି ଏକ ରୋବୋ। ଏହି ରୋବୋଟି ଦେଖିବାକୁ ଏକ ସୁନ୍ଦର କୁକୁର ଛୁଆ ପରି। ଉକ୍ତ ରୋବୋ କୁକରର ନାମ ହେଉଛି ହାନା ଚାନ୍‌। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି କିତାକ୍ୟୁଶୁ କଲେଜ୍‌ ଦୀର୍ଘ ୨ ବର୍ଷ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲା। ଏବେ ଉକ୍ତ କଲେଜର ଆଫଇଲିଏଟେଡ୍‌(ସହବଦ୍ଧ) କମ୍ପାନୀ ନେକ୍ସଟ୍‌ଟେକ୍ନୋଲୋଜି ଏହାକୁ ଲଞ୍ଚ କରିଛି। ୧୫ ସେ.ମି.ର ଏହି ରୋବୋ ଡଗ୍‌ର ନାକରେ ଏକ ସ୍ବତନ୍ତ୍ରଧରଣର ସେନ୍ସର ଲାଗିଛି। ଉକ୍ତ ସେନ୍ସର ସାହାଯ୍ୟରେ ଏହା ପାଦକୁ ଶୁଙ୍ଘି ଜଣାଇଦେବ ଯେ, ଆପଣଙ୍କ ପାଦ ଦୁର୍ଗନ୍ଧ ହେଉଛି ନା ନାହିଁ। ଆଉ ଏହା ଜଣାଇବାର ତରିକା ବେଶ୍‌ ମଜାଦାର। ଯଦି ପାଦ ଦୁର୍ଗନ୍ଧ ହେଉ ନ ଥାଏ ତେବେ ଖୁସିରେ ନିଜର କୁନି ଲାଞ୍ଜ ହଲାଇବ। ଯଦି ସାମାନ୍ୟ ଗନ୍ଧ ହେଉଛି, ତେବେ ଏହା ଭୁକିବା ଆରମ୍ଭ କରିଦେବ। ଆଉ ଯଦି ଅତ୍ୟଧିକ ଦୁର୍ଗନ୍ଧ ହେଉଥାଏ ତେବେ ସେ ସେହିଠାରେ ହିଁ ଅଚେତ୍‌ ହେବା ପରି ପଡିଯିବ। ଯେମିତି କି ଦୁର୍ଗନ୍ଧ ପାଇଁ ସେ ବେହୋସ ହୋଇଯାଇଛି। କୁହାଯାଉଛି ଉକ୍ତ ରୋବୋରେ ଏୟାର୍‌ ଫ୍ରେଶନର୍‌ ସ୍ପ୍ରେ ସିଷ୍ଟମ୍‌ ବି ରହିବ; ଯଦ୍ଦ୍ବାରା ରୋବୋ ଡଗ୍‌ ଦୁର୍ଗନ୍ଧ ହେଉଥିବା ପାଦ ଉପରେ ଉକ୍ତ ସ୍ପ୍ରେ ପକାଇ ମହକ ଭରିଦେବ। ନେକ୍ସଟ୍‌ ଟେକ୍ନୋଲୋଜି କମ୍ପାନୀ ଏହାକୁ ୯,୨୮୦ ଡଲାରରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛି।

Share