ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ ଘରେ ପଶି ସୁନାଗହଣା ଲୁଟି ନେଇ ପଳାଇଥିଲେ। ସ୍ତ୍ରୀଙ୍କ ଅନୁପସ୍ଥିତିରେ ସେ ଏକୁଟିଆ ଘରେ ଥିବା ବେଳେ ସେମାନେ ପ୍ରଥମେ ଆସି ତାଙ୍କ ଘରେ ବେଲ ବଜାଇଥିଲେ। ସେ କବାଟ ଖୋଲିବା ପରେ ସେମାନେ ତାଙ୍କୁ କାବୁ କରିନେଇ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ଏବଂ ଆଲମିରା ଖୋଲିବା ପାଇଁ ବାଧ୍ୟ କରିଥିଲେ। ସମସ୍ତ ଗହଣା ନେଇ ବାଡ଼ି ପଟ ପଛ ଦ୍ବାର ଦେଇ ଫେରାର ହୋଇଯାଇଥିଲେ।
ତେବେ ତାଙ୍କ ଚିତ୍କାର ଶୁଣି ଲୋକମାନେ ପହଞ୍ଚି ଯାଇ ସେମାନଙ୍କୁ ଧରିବା ପାଇଁ ଚାଷ ଜମି ଭିତରେ ଗୋଡାଇଥିଲେ। ଶେଷରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ନିର୍ଧୁମ ଛେଚିଥିଲେ। ମାତ୍ର ଅନ୍ୟମାନେ ଅନ୍ଧାରର ସୁଯୋଗରେ ସୁନାଗହଣା ନେଇ ଚମ୍ପଟ ମାରିବାକୁ ସଫଳ ହୋଇଥିଲେ। ଧରା ପଡ଼ିଥିବା ଅଭିଯୁକ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ଗ୍ରାମବାସୀ କହିଛନ୍ତି। ଖବରପାଇ ବୈଶିଙ୍ଗା ପୋଲିସ ପକ୍ଷରୁ ଥାନାଧିକାରୀ ବାରିଣୀ ଦାସଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେଇଆସିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ତ୍ୟକ୍ତ ଗ୍ରାମବାସୀ ଗ୍ରାମର ସୁରକ୍ଷା ବିପନ୍ନ ହୋଇପଡିଥିବା ଅଭିଯୋଗ କରି ପୋଲିସ ଗାଡ଼ିକୁ ଅଟକ ରଖିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ରାତି ୯ଟା ସମୟରେ ଥାନାଧିକାରୀ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା ଚଳାଇଥିବା ସୂଚନା ମିଳିଛି। ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ସୁଶ୍ରୀ ମିନତି ବିଶ୍ବାଳ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଲୋକେ ନିଜ ଜିଦିରେ ଅଟଳ ରହିଛନ୍ତି।

