ମାର୍ବଲ ମିସ୍ତ୍ରୀଙ୍କଠାରୁ ଲୁଟ୍‌, ପୋଲିସ ଗୋଡ଼ାଇବାରୁ ୩ ବାଇକ୍‌ ଛାଡ଼ି ୪ ଦୁର୍ବୃତ୍ତ ଫେରାର

ସୋରଡ଼ା,୧୫ା୧୧(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ଡକାୟତ ଦଳ ସକ୍ରିୟ ହେଉଥିବା ଅନୁମାନ କରାଯାଉଛି। ବୁଧବାର ଅପରାହ୍ନରେ ବ୍ରହ୍ମପୁର ହରିଡ଼ାଖଣ୍ଡି ନିକଟ ଚାଞ୍ଚଡ଼ାପଲ୍ଲୀ ଗ୍ରାମର କୀଟୁ ଗଉଡ ନାମକ ଯୁବକ ନିଜର ୧୮ ଦିନ ହେଲା କିଣିଥିବା ବାଇକ୍‌ରେ ବ୍ରହ୍ମପୁରରୁ ବାହାରି ସୋରଡ଼ା ଦେଇ ବାଲିଗୁଡ଼ା ଅଭିମୁଖେ ବାହାରିଥିଲେ। ଅପରାହ୍ନରେ ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ୧୩ ନମ୍ବର ବୁଲାଣିରେ ୪ ଯୁବକ ହଠାତ ତାଙ୍କୁ ଅଟକାଇଥିଲେ। ରାସ୍ତା ବୁଲାଣି ଯୋଗୁ କୀଟୁ ଉପାୟ ନପାଇ ଅଟକି ଯାଇଥିଲେ। ଯୁବକମାନେ ତାଙ୍କୁ ଗାଳିଗୁଲଜ କରିବା ସହ ହାତରେ ଧରିଥିବା ବାଡ଼ିରେ ଗୋଡ଼କୁ ପିଟିଥିଲେ।

କୀଟୁ ସୋରଡ଼ା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ପକେଟ୍‌ରୁ ୮୫୦୦ ଟଙ୍କା, ୨ଟି ମୋବାଇଲ, ଆଧାରକାର୍ଡ, ଏଟିଏମ୍‌ କାର୍ଡ ସବୁ ନେଇଯାଇଛନ୍ତି। ପରେ ତାଙ୍କ ଗାଡ଼ି ନେଇଯାଇଥିଲେ। ମାର୍ବଲ ମିସ୍ତ୍ରୀ ଭାବେ କାମ କରୁଥିବା କୀଟୁ ସବୁବେଳେ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିବା କହିଛନ୍ତି। ତେବେ କୀଟୁ ସେଠାରୁ ଏକାକୀ କୌଣସି ମତେ ଚାଲି ଚାଲି ଫେରିବା ସମୟରେ ଗାଜଲବାଡ଼ି ଗ୍ରାମର କିଛି ଯୁବକଙ୍କ ସହ ଭେଟ ହୋଇଥିଲା। ସମସ୍ତଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଗାଜଲବାଡ଼ି ଗ୍ରାମବାସୀ ସଙ୍ଗେ ସଙ୍ଗେ ସୋରଡ଼ା ପୋଲିସକୁ ଖବର ଦେଇଥିଲେ। ପୋଲିସ  ପହଞ୍ଚି ଗାଜଲବାଡ଼ି ରାସ୍ତାକୁ ମଧ୍ୟ ସିଲ୍‌ କରିଦେଇଥିଲା। ତେବେ ଉକ୍ତ ଡକାୟତମାନେ ଆଉ ଖସିଯିବାର ଉପାୟ ନ ପାଇ ନିଜେ ଧରିଥିବା ୨ଟି ବାଇକ୍‌ ଓ କୀଟୁଙ୍କଠାରୁ ଛଡ଼ାଇ ନେଇଥିବା ବାଇକ୍‌କୁ ଘାଟି ରାସ୍ତାର ଜଙ୍ଗଲ ପାର୍ଶ୍ୱରେ ପକାଇ ଫେରାର ହୋଇଯାଇଛନ୍ତି । ପୋଲିସ ବହୁ ଖୋଜାଖୋଜି କରି ଉକ୍ତ ୩ ବାଇକ୍‌କୁ ରାତି ୯ ଟାରେ ଆଣି ସୋରଡା ଥାନା ପରିସରରେ ରଖିଛି।