ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ ଘରେ ପଶି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ବ୍ୟବସାୟୀ କାଶୀନାଥ ଥାନାରେ ଏକ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ, ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଅଭିଯୋଗ ମୁତାବକ, ସୋମବାର ରାତିରେ ମୈଦଲପୁରର ବ୍ୟବସାୟୀ କାଶୀନାଥ ଗୁପ୍ତା ଓ ତାଙ୍କ ପୁଅ ବିକାଶ ଗୁପ୍ତା ଘରେ ଶୋଇଥିବା ବେଳେ ଘର ମୁଖ୍ୟ ପାଚେରୀ ଡେଇଁ ୬ରୁ ୭ଜଣ ମୁଖା ପିନ୍ଧା ଦୁବୃର୍ତ୍ତ ମାରଣାସ୍ତ୍ର ଧରି ଘର ଭିତରକୁ ଧସେଇ ପଶି ଥିଲେ । ପରେ ସେମାନେ ବାପା ଏବଂ ପୁଅଙ୍କୁ ବେକରେ ଛୁରି ରଖି ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରିକି ଦୁବୃର୍ତ୍ତମାନେ ଘରେ ଥିବା ଟଙ୍କା, ସୁନା ଅଳଙ୍କାର ଦେବାକୁ ଧମକ ଦେଇଥିଲେ।
ଏପରିକି ଦୁବୃର୍ତ୍ତମାନେ ଏବଂ ଘରେ ଥିବା ଆଲମୀରା ଭାଙ୍ଗି ୨ ଲକ୍ଷ ୫୦ ହଜାର ଟଙ୍କା, ୫ ଭରି ଓଜନର ସୁନା ଅଳଙ୍କାର, ଏକ କିଲୋ ରୁପା ଅଳଙ୍କାର ଲୁଟି ନେଇଥିଲେ । ଏନେଇ କାଶୀନାଥ ମୈଦଲପୁର ପୋଲିସକୁ ଜଣାଇବା ପରେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଓ ପୋଲିସ ତଦନ୍ତ ଆରମ୍ଭ କରିଛି ।

