ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ପବିତ୍ର କୁମାର ବିଷୋୟୀଙ୍କ ଗହଣା ଦୋକାନରୁ ୧୨୦ ଗ୍ରାମ ଓଜନର ୧୨ଟି ସୁନା ଚେନକୁ ୨ ଦୁର୍ବୃତ୍ତ କୌଶଳକ୍ରମେ ଲୁଟି ନେଇଛନ୍ତି। ପୁର୍ବାହ୍ନ ପ୍ରାୟ ୧୨ଟାରେ ୨ ବ୍ୟକ୍ତି ଦୋକାନକୁ ଆସି ସୁନା ଚେନ କିଣିବାକୁ କହିଥିଲେ। ଦୋକାନ ମାଲିକ ସେମାନଙ୍କୁ ବିଭିନ୍ନ ଡିଜାଇନର ସୁନା ଚେନ ଦେଖାଇଥିଲେ। ଉଭୟେ ହିନ୍ଦୀରେ କଥା ହେଉଥିଲେ। ପରେ କୌଶଳକ୍ରମେ ଉଭୟେ ସୁନା ଚେନ ଥିବା ବକ୍ସକୁ ଲୁଟିନେଇ ନିମିଷକ ମଧ୍ୟରେ ଫେରାର ହୋଇଯାଇଥିଲେ। ଦୋକାନ ମାଲିକ ସୁନା ଚେନ ଥିବା ବକ୍ସ ଗୁଡ଼ିକୁ ତନଖି କରିବା ବେଳେ ଗୋଟିଏ ବକ୍ସ ନ ଥିବା ଜାଣିଥିଲେ।ପରେ ଦୋକାନ ମାଲିକ ସିସିଟିଭି ଫୁଟେଜ ଦେଖିବା ପରେ ଉକ୍ତ ଦୁର୍ବୃତ୍ତ ଦ୍ବୟ ୧୨ଟି ସୁନା ଚେନ ଥିବା ବକ୍ସକୁ ଲୁଟି ନେଇଥିବା ଜାଣିଥିଲେ। ଏନେଇ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୧୩୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଥାନା ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


