ନିଶା ଦେଇ ଲୁଟିନେଲେ ଟଙ୍କା, ଗହଣା

ବ୍ରହ୍ମପୁର ଅଫିସ,୨୬।୧୨: ବ୍ରହ୍ମପୁର ସହରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବାରେ ଲାଗିଛନ୍ତି। ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଗ୍ୟାଙ୍ଗ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ କରୁଛନ୍ତି। ଦୁଇଦିନ ତଳେ ଜଣେ ଯୁବକଙ୍କୁ ମାଡ଼ ମାରି ତାଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିବା ବେଳେ ବାବାଜୀ ତୋଟା ସାହିରେ ବୃଦ୍ଧ ଦମ୍ପତି ଏକାକୀ ଘରେ ଥିବା ବେଳେ ତାଙ୍କୁ ଟାର୍ଗେଟ କରିଛନ୍ତି।

ରବିବାର ଭୋରୁ ଅବସରପ୍ରାପ୍ତ କର୍ମଚାରୀ ବ୍ରଜବନ୍ଧୁ ତ୍ରିପାଠୀ ଫୁଲ ତୋଳିବାକୁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରା ଗ୍ୟାଙ୍ଗ ଘରେ ପଶି ବ୍ରଜବନ୍ଧୁଙ୍କ ସ୍ତ୍ରୀ’ଙ୍କୁ ଶୋଇଥିବା ଅବସ୍ଥାରେ ନିଶା ଦେଇ ସେ ପିନ୍ଧିଥିବା ସମସ୍ତ ସୁନା ଗହଣା ଲୁଟି ନେଇଛନ୍ତି। ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ.୪୫୯/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୁନା ହାର, ଚୁଡ଼ି, ରୁଲି, ହାତ ମୁଦି, କାନ ଝିକା, ଏପରି ୧୫ଭରି ସୁନାଗହଣା ସହ ୮ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୁଷ୍ପାଞ୍ଜଳି ସୁସ୍ଥ ହେବା ପରେ ଘଟଣା ସମ୍ପର୍କରେ ସ୍ବାମୀ ବ୍ରଜବନ୍ଧୁଙ୍କୁ କହିଥିଲେ।