ମାସକରେ ରାସ୍ତା ଫାଟି ଆଁ

କାମାକ୍ଷାନଗର, ୫।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ)ରେ ନିର୍ମିତ ରାସ୍ତା ମାସକ ମଧ୍ୟରେ ଫାଟିଯାଇଛି। ଫଳରେ କାର୍ଯ୍ୟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଦଶୀପୁର ପିଡବ୍ଲ୍ୟୁଡି ରୋଡ୍‌ଠାରୁ ଘାଗରାମୁଣ୍ଡା ପର୍ଯ୍ୟନ୍ତ ୧୭ କିମି ଦୀର୍ଘ ଏହି ରାସ୍ତା ନିର୍ମାଣ ପାଇଁ ୯ କୋଟି ୪୨ଲକ୍ଷ ୫୩ ହଜାର ୭୮୩ ଟଙ୍କା ବ୍ୟୟବରାଦ ହୋଇଥିଲା। ୫ବର୍ଷ ରକ୍ଷଣାବେକ୍ଷଣ କରାଯିବା ପାଇଁ ୭ ଲକ୍ଷ ୬୧ ହଜାର ୫୮୩ ଟଙ୍କା ରଖାଯାଇଥିଲା। ଏକ ଠିକାସଂସ୍ଥା ଏହି ପ୍ରକଳ୍ପ କାର୍ଯ୍ୟ ପାଇଥିବାବେଳେ ସବ୍‌ଲେଟ ଠିକାଦାରଙ୍କ ଦ୍ୱାରା କାମ କରାଯାଇଥିଲା। ତେବେ ନିର୍ମାଣର ମାସକ ଭିତରେ ଗତରେଇ ନୂଆସାହି, ଘାଗରାମୁଣ୍ଡା ଗ୍ରାମର କେତେକ ସ୍ଥାନରେ ରାସ୍ତା ଫାଟି ଆଁ କରିଛି। ମନଇଚ୍ଛା କାମ ପାଇଁ ଅଳ୍ପ ଦିନ ଭିତରେ ରାସ୍ତା ଅବସ୍ଥା ଏଭଳି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀ ହୃଦାନନ୍ଦ ପଣ୍ଡାଙ୍କୁ ପଚାରିବାରେ ସେ ଏହାକୁ ଅତି ହାଲୁକା ଭାବରେ ନେବା ସହ ରାସ୍ତା ଭାଙ୍ଗିଗଲେ ମରାମତି କରାଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ। ଅନ୍ୟପଟେ ରାସ୍ତାକାମରେ ହୋଇଥିବା ଅନିୟମିତତାର ନିରପେକ୍ଷ ତଦନ୍ତ କରିବା ସହ ତୁରନ୍ତ ଫାଟିଥିବା ସ୍ଥାନ ମରାମତି କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି।