ବରଗଡ଼,୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଭଟଲି ଛକରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଭଟଲି, ଅମ୍ବାଭୋନା ତଥା ପଡ଼ୋଶୀ ଛତିଶଗଡ଼କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ବରଗଡ଼ ରାଣାପ୍ରତାପ ସ୍କୁଲ ପାଖ ଓଭରବ୍ରିଜ ତଳେ ରାସ୍ତା ଦୀର୍ଘଦିନ ହେଲା ଶୋଚନୀୟ ଅବସ୍ଥାରେ ପଡ଼ିରହିଥିଲା। ବର୍ଷା ସମୟରେ ପାଖାପାଖି ଦୁଇରୁ ତିନିଫୁଟ ପାଣି ଜମି ରହୁଥିଲା । ଜନପ୍ରତିନିଧି ଏବଂ ପ୍ରଶାସନର ଦୃଷ୍ଟିରେ ପଡୁଥିବା ସତ୍ତ୍ବେ ସେଥିପ୍ରତି ଆଖି ବୁଜି ଦେଇଥିଲେ ଏବଂ ରାସ୍ତା ମରାମତି ହୋଇ ପାରି ନ ଥିଲା। ପ୍ରତ୍ୟେକ ଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା। ତେବେ ସୋମବାର ସକାଳୁ ବରଗଡ଼ ସଂଯୁକ୍ତ କୃଷକ ସଂଗଠନ, ସଂକଳ୍ପ ପରିବାର, କୋଶଳ ସେନା ସଂଗଠନ ସହିତ ସ୍ଥାନୀୟ ସ୍ବେଚ୍ଛାସେବୀ ନିଜ ଅର୍ଥଦାନ ଓ ଶ୍ରମଦାନ କରି ଉକ୍ତ ରାସ୍ତା ମରାମତି କରିଛନ୍ତି । ଏହି ରାସ୍ତାର ମରାମତି କାର୍ଯ୍ୟ ଚାଲିଥିବା ସମୟରେ ସ୍ବତ୍ତଃସ୍ଫୂର୍ତ୍ତ ଭାବରେ ଶତାଧିକ ଲୋକ ପହଞ୍ଚି ଏଥିରେ ସାମିଲ ହୋଇଥିଲେ। ଦୁଇ ଘଣ୍ଟା ପରିଶ୍ରମ ପରେ ଉକ୍ତ ରାସ୍ତାର ମରାମତି ସମ୍ପୂର୍ଣ୍ଣ ହୋଇଥିଲା।


