ରାସ୍ତା ପାଇଁ ରାସ୍ତାରୋକୋ

ବାରିପଦା ଅଫିସ,୨୯ା୮: ମୟୂରଭଞ୍ଜ ଜିଲା ବାରିପଦା-ଉଦଳା ରାଜ୍ୟ ରାଜପଥର ନୁରୁଡିହୀ ଛକରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ମରାମତି ଦାବି ନେଇ ସୋମବାର ସକାଳୁ ରାସ୍ତାରୋକୋ କରିଛନ୍ତି। ଫଳରେ ଜିଲା ମୁଖ୍ୟାଳୟକୁ ଆସୁଥିବା ଯାତ୍ରୀବାହୀ ଯାନବାହନଗୁଡ଼ିକ ଦୀର୍ଘ ୩ ଘଣ୍ଟା ଧରି ଅଟକି ରହିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି।

ସୂଚନାଯୋଗ୍ୟ, ନୁରୁଡିହୀ ଛକଠାରୁ ପଲିଟେକ୍‌ନିକ୍‌ କଲେଜ ପର୍ଯ୍ୟନ୍ତ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ଏହା ଦ୍ବାରା ସାଧାରଣ ଲୋକେ ଯିବାଆସିବା କରିବାରେ ବହୁ ହଇରାଣ ହରକତ ହେଉଛନ୍ତି। ଏପରିକି ଛାତ୍ରୀଛାତ୍ର ସ୍କୁଲକୁ ଯିବା ବେଳେ ଖାଲରେ ପଡ଼ି ଘରକୁ ଫେରୁଛନ୍ତି। ଜରୁରିକାଳୀନ ସେବା ପାଇଁ ରୋଗୀମାନଙ୍କୁ ନେବା ଆଣିବା କଷ୍ଟକର ହୋଇପଡ଼ିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ କିମ୍ବା ଜନପ୍ରତିନିଧିମାନେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ବିଗତ ଲଘୁଚାପଜନିତ ବର୍ଷା ଯୋଗୁ ରାସ୍ତାରେ ଚଳପ୍ରଚଳ କରିବା କଷ୍ଟକର ହୋଇପଡ଼ିଛି। ଏଣୁ ବାଧ୍ୟ ହୋଇ ଅଞ୍ଚଳବାସୀ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ଦିନ ମଜୁରିଆ ଭାବେ ବାରିପଦା ସହରକୁ ଯାଉଥିବା ଶ୍ରମିକମାନଙ୍କୁ ଅଟକାଇବାରୁ ବିକ୍ଷୋଭକାରୀଙ୍କ ସହ ଗଣ୍ଡଗୋଳ ସୂତ୍ରପାତ ହୋଇଛି। ଉଭୟଙ୍କ ମଧ୍ୟରେ ଠେଲାପେଲା ହେଉଥିବା ବେଳେ ପୋଲିସ ପହଞ୍ଚିଛି।