ପୁରୀ, ୧।୧୦(ଅଜିତ୍ କୁମାର ମହାନ୍ତି):ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବିମଳା। ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମା’ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା କରାଯାଇଥାଏ। ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଶ୍ରୀମନ୍ଦିର ଚତୁଃପାଶର୍ବରେ ଥିବା ଦକ୍ଷିଣକାଳୀ, ଆଲାମଚଣ୍ଡୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଷୋଳପୂଜା ନୀତି ଅନୁଷ୍ଠିତ ହୋଇଥାଏ।
ପୌରାଣିକ ଗାଥା ଅନୁଯାୟୀ, ଯେତେବେଳେ ରାଜା ଦକ୍ଷ ଯଜ୍ଞ କରିଥିଲେ ସେହି ଯଜ୍ଞ ପାଇଁ ସମସ୍ତ ଦେବଦେବୀ, ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ତାଙ୍କ ଝିଅ ସତୀ, ଯିଏ ପ୍ରଭୁ ଶିବଙ୍କୁ ବିବାହ କରିଥିଲେ। ପ୍ରଭୁ ଶିବଙ୍କ ପ୍ରତି ଅସନ୍ତୁଷ୍ଟ ହୋଇ ରାଜା ଦକ୍ଷ ତାଙ୍କୁ ନିମନ୍ତ୍ରଣ କରି ନ ଥିଲେ। ଶିବଙ୍କୁ ନିମନ୍ତ୍ରଣ ମିଳି ନ ଥିବାରୁ ତାଙ୍କ ପତ୍ନୀ ସତୀ ଅସନ୍ତୁଷ୍ଟ ହୋଇ ଯଜ୍ଞକୁଣ୍ଡରେ ନିଜେ ଆତ୍ମାହୁତି ଦେଇଥିଲେ। ଏଥିପାଇଁ ପ୍ରଭୁ ଶିବ କ୍ଷୁବ୍ଧହୋଇ ସତୀଙ୍କ ଅର୍ଦ୍ଧଦଗ୍ଧ ଶରୀରକୁ ଧରି ତାଣ୍ଡବ ନୃତ୍ୟ ଆରମ୍ଭ କରିଥିଲେ। ସେତେବେଳେ ଏହି ତାଣ୍ଡବ ନୃତ୍ୟ ଯୋଗୁ ପୃଥିବୀ ଧ୍ୱଂସ ହୋଇଯାଇଥାଆନ୍ତା। ଏହି କଥା ଦେବଗଣ ବିଷ୍ଣୁଙ୍କୁ ଜଣାଇବା ପରେ ପ୍ରଭୁ ବିଷ୍ଣୁ ନିଜେ ସୁଦର୍ଶନ ଚକ୍ରରେ ସତୀଙ୍କ ଦଗ୍ଧ ଶରୀରକୁ ଖଣ୍ଡବିଖଣ୍ଡିତ କରିପକାଇଥିଲେ। ସେଥିରୁ ସତୀଙ୍କ ଶରୀରର ପ୍ରଥମ ଖଣ୍ଡ ପଡ଼ିଥିଲା ଶ୍ରୀକ୍ଷେତ୍ର ପୁରୀରେ। ଯିଏକି ଶ୍ରୀକ୍ଷେତ୍ରରେ ବିମଳାଦେବୀ ଭାବେ ଆବିର୍ଭୁତା ହୋଇଥିବା ମତ ରହିଛି। ଏହି ଷୋଡ଼ଶ ପୂଜା ସମୟରେ ଦେବୀ ରକ୍ତମୁଖା ଥାଆନ୍ତି। ତେଣୁ ମହିଳାଙ୍କୁ ଏହି ସମୟରେ ତାଙ୍କ ମୁଖ ଦର୍ଶନ ପାଇଁ ବାରଣ କରାଯାଇଥାଏ। ଷୋଡ଼ଶ ପୂଜା ସମୟରେ ଦେବୀ ବିମଳାଙ୍କ ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ବାରଣ ତଥା କଟକଣା ଥାଏ। ୩ଟି ଧୂପ ତିନିଥର ପୂଜା କରାଯାଇ ନାନା ବ୍ୟଞ୍ଜନ ପିଠା, ଅନ୍ନ, ଡାଲି, ଖେଚୁଡ଼ି, ବେସର ଆଦି ଭୋଗ ହୋଇଥାଏ। ଷୋଡ଼ଶ ପୂଜାରେ ଦେବୀ ବିମଳାଙ୍କ ପୀଠରେ ତନ୍ତ୍ର ପୂଜା ହୋଇଥାଏ।
ତନ୍ତ୍ରପୂଜା ବିଧି ଅନୁଯାୟୀ ବଳିନୀତି ପରମ୍ପରା ରହିଛି। ତାହାକୁ ବନ୍ଦ କରାଯାଇପାରିବ ନାହିଁ। ଶ୍ରୀମନ୍ଦିରରେ ସପ୍ତମୀ, ଅଷ୍ଟମୀ ଓ ନବମୀ ମହାରାତ୍ରରେ ଏହି ବଳିନୀତି ନିଶାର୍ଦ୍ଧରେ ଅନୁଷ୍ଠିତ ହୋଇଥାଏ। ନିଶାର୍ଦ୍ଧରେ ଗୁପ୍ତପୂଜା ପାଇଁ ମନ୍ଦିର ବନ୍ଦ ରହିଥାଏ। ମତ୍ସ୍ୟ ଓ ପଶୁ ବଳି ପରମ୍ପରା ରହିଛି। ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ବଳି ପ୍ରଥା ଆବହମାନ କାଳରୁ ରହିଆସିଛି। ସାରା ବିଶ୍ୱ ତଥା ରାଷ୍ଟ୍ରର ମଙ୍ଗଳ ପାଇଁ ଏହି ପୂଜା ଅନୁଷ୍ଠିତ ହୋଇଥାଏ।


