ଋଷିକୂଲ୍ୟାରେ ଜଳସ୍ତର ବୃଦ୍ଧି

ଗଞ୍ଜାମ,୧୪।୧୧(ଡି.ଏନ୍‌.ଏ.): ଉପର ମୁଣ୍ଡରେ ଲଘୁଚାପ ଲଗାଣ ବର୍ଷା ଫଳରେ ଗଞ୍ଜାମ ସହର ନିକଟ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ରରେ ମଧ୍ୟ ଉଚ୍ଚ ଲହଡି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଋଷିକୂଲ୍ୟା ମୁହାଁଣଟି ପୁରୁଣାବନ୍ଧ ନିକଟସ୍ଥ ମା’ ଗଙ୍ଗାଦେବୀ ପୀଠରେ ନ ରହି ପୋଡ଼ମପେଟା ଗ୍ରାମ ଉତ୍ତରାଭିମୁଖୀ ହୋଇଥିବା ଯୋଗୁ ଠିକ ଭାବେ ସମୁଦ୍ର ମଧ୍ୟକୁ ବନ୍ୟାଜଳ ନିଷ୍କାସିତ ହୋଇ ନ ପାରିବା ଫଳରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ଗ୍ରାମଗୁଡ଼ିକ ଜଳମଗ୍ନ ହୋଇପଡିଥିବା ଦେଖିବାକୁ ମିଳିଛି। ଗୋଖରକୁଦା ଗ୍ରାମର ରେଡକ୍ରସ ନୂଆସାହିରେ ପାଣିଜମି ରହିଛି। ମୟୂରପଦା, ଲକ୍ଷ୍ମୀପୁର, ପାଳିବନ୍ଧ, ପୁରୁଣାବନ୍ଧ, ବିଞ୍ଚଣାପଲ୍ଲୀ, ନିଳାଦ୍ରୀପୁର, ପୁଇଁତୋଳା, କୁଣ୍ଡାପୁଟ ଆଦି ଗ୍ରାମରେ ରହିଥିବା ଚାଷଜମିରେ ପାଣି ଜମିି ଧାନଫସଲ ନଷ୍ଟ ହେବାରେ ଲାଗିଛି। ଜିଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ଚାଷୀକୁଳ କ୍ଷତିପୂରଣ ଦେବା ନିମନ୍ତେ ପଦକ୍ଷେପ ନେବାକୁ  ଦାବି ହୋଇଛି।