ପୁରୁଷୋତ୍ତମପୁରରେ କରୋନା ସ୍ଥିତି ସମୀକ୍ଷା: ମୁକାବିଲା ଲାଗି ଅଧିକାରୀମାନଙ୍କୁ ଜିଲାପାଳଙ୍କ ପରାମର୍ଶ

ପୁରୁଷୋତ୍ତମପୁର,୨୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟକୁ ଆସି କରୋନା ଭାଇରସ୍‌ ସଂକ୍ରମଣ ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସ୍ବାବ୍‌ ରିପୋର୍ଟ ବିଳମ୍ବରେ ଆସୁଥିବା ନେଇ ଅସନ୍ତୋଷ ପ୍ରକାଶ କରି ରିପୋର୍ଟ ଶୀଘ୍ର ଆଣିବା ଲାଗି ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରୋଗୀ ଚିହ୍ନଟ କରିବା, ସେମାନଙ୍କ ମିଳାମିଶା ସହ ଯାତାୟାତର ବିବରଣୀ ପରଖିବା, ପରୀକ୍ଷା କରିବା ଓ ଚିକିତ୍ସା ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେବା ସହ ପ୍ରତି ପଞ୍ଚାୟତ ଓ ଏନ୍‌ଏସିରେ କୋଭିଡ୍‌ କେୟାର ହୋମ୍‌ ଯଥାଶୀଘ୍ର ଖୋଲିବା ଲାଗି ପଦକ୍ଷେପ ନେବା, କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଫେରିଥିବା ପ୍ରବାସୀମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇବା, ସରକାରଙ୍କ ଘୋଷଣା ମୁତାବକ ୨ ହଜାର ଟଙ୍କା ଯଥାଶୀଘ୍ର ପ୍ରଦାନ କରିବା, ଏନ୍‌ଏସିରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୁଷୋତ୍ତମପୁର ବ୍ଲକକୁ ପ୍ରଥମ ପର୍ଯ୍ୟାୟରେ ଫେରିଥିବା ୬,୫୦୦ ଜଣ ପ୍ରବାସୀଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କୁ ଟଙ୍କା ପ୍ରଦାନ କରାଯାଇଥିବା, ସମୁଦାୟ ୫୦ ଜଣ ରୋଗରେ ଆକ୍ରାନ୍ତ ହୋଇ ଥିବା ବେଳେ ସେଥିରେ ୮ ଜଣ ଗର୍ଭବତୀ ମହିଳାଙ୍କ ସମେତ ୧୩ ଜଣ ମହିଳା ରହିଛନ୍ତି। ୨୯ ଜଣ ରୋଗୀ ସୁସ୍ଥ ହୋଇ ଫେରିଥିବା ବେଳେ ୨୧ ଜଣ କୋଭିଡ୍‌ ମେଡିକାଲ ଓ ପାରଳା ମହାରାଜା କଲେଜ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା, କ୍ୱାରାଣ୍ଟାଇନ୍‌ ଫେରନ୍ତା ପ୍ରବାସୀ ୨୩୬ ଜଣଙ୍କୁ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇ ଦିଆଯାଇଥିବା ନେଇ ବିଡିଓଙ୍କ ଠାରୁ ତଥ୍ୟ ନେଇଥିଲେ ଜିଲାପାଳ। ଏହି ବୈଠକରେ ଏଥିରେ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ, ବିଡିଓ ସୀମାଞ୍ଚଳ ମହାନ୍ତି, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଥାନାଧିକାରୀ ଜଗନ୍ନାଥ ମଲ୍ଲିକ, ସହକାରୀ ଯନ୍ତ୍ରୀ ମୋହନ ସାହୁ, ଏନଏସି ନିର୍ବାହୀ ଅଧିକାରୀ ଏ. ନାଗେଶ୍ବର ରାଓ, ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବି. କ୍ରିଷ୍ଣା, ଡା ରବିନ୍ଦ୍ରନାଥ ଗନ୍ତାୟତ, ସିଡିପିଓ ବବିତା ଚ୍ୟାଉପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଥିଲେ।