Categories: ଫୁରସତ

୯ ବର୍ଷ ପରେ ପୁନର୍ମିଳନ

ବେଙ୍ଗାଲୁରୁ: ନୂଆବର୍ଷରେ ହରିୟାଣାର କେହାର ସିଂଙ୍କୁ ମିଳିଛି ତାଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର। ୯ ବର୍ଷ ପୂର୍ବେ ହଜିଯାଇଥିବା ଜୀବନସାଥୀ ଦର୍ଶିନୀଙ୍କୁ ପାଇ କେହାରଙ୍କ ଖୁସି କହିଲେ ନ ସରେ। ତାଙ୍କ ପାଇଁ ଏତେବଡ଼ ଖୁସି ଆଣିବାରେ କର୍ନାଟକର କୋଡାଗୁରେ ଥିବା ସେଲଟର ହୋମ୍‌ ‘ଥାନାଲ ହୋମ୍‌’ର ବଡ଼ ଭୂମିକା ରହିଛି।
ଘର ହରିୟାଣାର ରୋହତକରେ। ୨୦୧୩ରେ ଦର୍ଶିନୀ ଘରୁ କୌଣସି ଆଡ଼େ ଚାଲିଯାଇଥିଲେ। କେହାର ଓ ତାଙ୍କ ପରିବାର ଲୋକେ ସ୍ତ୍ରୀ ଦର୍ଶିନୀଙ୍କୁ ବହୁ ଖୋଜାଖୋଜି କରିଲେ ସୁଦ୍ଧା ପାଇ ନ ଥିଲେ। ହତାଶ ହୋଇ ପରବର୍ତ୍ତୀ ସମୟରେ କେହାର ଥାନାରେ ଦର୍ଶିନୀଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ। ୨୦୧୮ରେ କୁଶାଲନଗର ପୋଲିସର ଅନୁରୋଧ କ୍ରମେ ଏକ ଅଣସରକାରୀ ସଙ୍ଗଠନ (ଏନ୍‌ଜିଓ) ଦର୍ଶିନୀଙ୍କୁ ଉଦ୍ଧାର କରିଥିଲା। ଦର୍ଶିନୀ ଅର୍ଦ୍ଧନଗ୍ନ ହୋଇ ରାସ୍ତାରେ ବୁଲୁଥିବାବେଳେ ଏନ୍‌ଜିଓ ତାଙ୍କୁ ଆଣି ମହମ୍ମଦ ମୁସ୍ତାଫାଙ୍କ ଦ୍ୱାରା ପରିଚାଳିତ ସେଲ୍‌ଟର ହୋମ୍‌ରେ ରଖିଥିଲେ। ତାଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଇଥିବାବେଳେ ସେ ଘରୁୁ ବାହାରି ଆସି ଏଣେତେଣେ ବୁଲି ବୁଲି କର୍ନାଟକରେ ପହଞ୍ଚିଥିଲେ। ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଦର୍ଶିନୀ କେଉଁଠାରେ ଥିଲେ ଓ କ’ଣ କରୁଥିଲେ ତାହା ତାଙ୍କର ମନେ ନାହିଁ। ସେଲଟରହୋମ୍‌ରେ ରହିବା ପରେ ତାଙ୍କର କାଉନ୍‌ସେଲିଂ କରାଯାଇଥିଲା। ଧୀରେ ଧୀରେ ସେ ସୁସ୍ଥ ବି ହୋଇଥିଲେ। ଏହାପରେ ତାଙ୍କର ସ୍ବାମୀ ଓ ପିଲାଙ୍କ କଥା ମନେପଡ଼ିଥିଲା। ୬ ମାସ ପୂର୍ବେ ଦର୍ଶିନୀ ତାଙ୍କ ସ୍ବାମୀ କେହାରଙ୍କ କଥା ମହମ୍ମଦଙ୍କୁ ଜଣାଇଥିଲେ। ତାଙ୍କୁ ଉଦ୍ଧାର କରିଥିବା ଏନ୍‌ଜିଓ କେହାରଙ୍କ ଠିକଣା ଖୋଜି ବାହାରକରି ତାଙ୍କ ସହ ଯୋଗାଯୋଗ କରିଥିଲେ। ଦର୍ଶିନୀ ନିଖୋଜ ହେବା ପରେ କେହାର ତାଙ୍କୁ ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ପଞ୍ଜାବରେ ଖୋଜାଖୋଜି କରିଥିଲେ। ତେବେ ୯ ବର୍ଷ ପରେ ସ୍ତ୍ରୀଙ୍କୁ ପୁଣିଥରେ ପାଖରେ ପାଇ ସେ ଖୁସି ହେବା ସହ ମହମ୍ମଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁହେଁ ଏକାଠି ହେବାପରେ ବେଙ୍ଗାଲୁରୁରୁ ଟ୍ରେନ୍‌ ଯୋଗେ ହରିୟାଣା ଫେରିଛନ୍ତି।

Share