କେସିଙ୍ଗା,୧୨।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ଜଗନ୍ନାଥ ସାହୁଙ୍କ ସ୍ତ୍ରୀ କ୍ଷୀରବତୀ ସାହୁ(୨୩)କୁ ବିଷ ଦେଇ ମାରିଥିବା ନେଇ ଶ୍ୱଶୁର ଘରର ପରିବାର ଲୋକେ ଜ୍ବାଇଁ ଘର ସମ୍ମୁଖରେ ମୃତଦେହ ରଖି ଶୁକ୍ରବାର ଆନ୍ଦୋଳନ କରିଥିଲେ।
ଗତ ବୁଧବାର ରାତିରେ କ୍ଷୀରବତୀଙ୍କୁ ଶ୍ୱଶୁର ଘରର ପରିବାରବର୍ଗ ମିଶି ବିଷ ଦେଇ ମାରିଥିବା ନେଇ ଗୁରୁବାର କେସିଙ୍ଗା ଥାନାରେ ମୃତ ଝିଅର ବାପା କୌତୁକ ସାହୁ ଅଭିଯୋଗ କରିଥିଲେ। ଗତକାଲି ମୃତାଦହ ଭବାନୀପାଟଣା ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ଭମରମାଲ ଗ୍ରାମକୁ ଅଣାଯାଇଥିଲା। କିନ୍ତୁ ଝିଅର ପରିବାରବର୍ଗ ଉତ୍ତେଜନା ଦେଖି ପୋଲିସ କେସିଙ୍ଗା ଥାନାକୁ ନେଇଥିଲା। ବୁଝାସୁଝା ପରେ କେସିଙ୍ଗା ଥାନାରୁ ପୁଣି ଭମରମାଲ ଗ୍ରାମକୁ ରାତିରେରେ ଶବ ଅଣାଗଲା। ମୃତ ଝିଅର ପରିବାରବର୍ଗ ଜ୍ବାଇଁର ଘର ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ କରିବା ସହ ଜ୍ବାଇଁ,ଶ୍ୱଶୁର, ସମୁଦୁଣୀଙ୍କୁ ଗିରଫ କରିବା ସହ ଯୌତୁକ ଫେରାଇ ନେବା ପାଇଁ ପୋଲିସ ଆଗରେ ଜିଦ୍ ଧରିଥିଲେ। ଆଜି ଶୁକ୍ରବାର କେସିଙ୍ଗା ଥାନାର ଏସ.ଡ଼ି.ପି.ଓ. ସନ୍ଦିପ ମାଝୀ, ଆଇଆଇସି ଜିତେନ୍ଦ୍ର ବିଶ୍ବାଳଙ୍କ ସମେତ ପୋଲିସ ଫୋର୍ସ ଆସି ଘରର ତାଲାକୁ ଭାଙ୍ଗି ଯୌତୁକଗୁଡ଼ିକୁ ମୃତ ପରିବାରବର୍ଗଙ୍କୁ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଘରୁ ଯୌତୁକ ପୋଲିସ ପଦାକୁ ବାହାର କରୁଛି। ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି,ପରିବାର ଅନ୍ୟ ସବୁ ଫେରାର ଥିବାର ଜଣାଯାଇଛି।


