Categories: ବାଣିଜ୍ୟ

ରେଟର୍ନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୧ (ଅଭୟ ଦାଶ): ଓଡ଼ିଶା ବୁଣାକାରମାନଙ୍କର ସର୍ବବିଧ ଉନ୍ନତି ତଥା ରାଜ୍ୟ ସରକାରଙ୍କ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାର ଓ ପ୍ରସାର ପାଇଁ ରିଟାୟର୍ଡ ଟେକ୍ସଟାଇଲ ଅଫିସର୍ସ ରି-ନାଟିଭ(ରେଟର୍ନ)ର ରାଜ୍ୟ କାର୍ଯ୍ୟାଳୟ ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରେଟର୍ନ ପକ୍ଷରୁ ଭୁବନେଶ୍ୱରର ରୋଟାରି ଭବନଠାରେ ଏକ ଉଦ୍‌ଘାଟନୀ ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟାଳୟର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାର ସମସ୍ତ ବୈଷୟିକ କର୍ମଚାରୀଙ୍କ ସମେତ ସେଦ୍ରା ଫିଲ୍‌ଟ୍ରେସନ ପ୍ରାଇଭେଟ ଲିଃର ପରିଚାଳନା ନିର୍ଦ୍ଦେଶକ ମୁକେଶ ନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇଥିବାବେଳେ ଗ୍ରାଣ୍ଟ ଥରଣ୍ଟନ ଭାରତ ଏଲ୍‌ଏଲ୍‌ପିର ଅଂଶୀଦାର ମନୋଜ ଖରବ ଓ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଉକ୍ତ ଉତ୍ସବରେ ରାଜ୍ୟର ସମସ୍ତ ଅବସରପ୍ରାପ୍ତ ବୟନ ବୈଷୟିକ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ। ଅପରପକ୍ଷରେ ରେଟର୍ନର ସଭାପତି ଇଂ. ଅନନ୍ତପଦ ଦାସ ସ୍ବାଗତ ଅଭିଭାଷଣ ଦେଇଥିବାବେଳେ ସାଧାରଣ ସମ୍ପାଦକ ଡ. ସୁଦର୍ଶନ ବେହେରା ସଂସ୍ଥାର ଆଭିମୁଖ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ସେହିଭଳି ବୟନଶିଳ୍ପ ଓ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ସଂସ୍ଥାର ସଦସ୍ୟ ଇଂ. ରାମକୃଷ୍ଣ ମେହେର, ଇଂ.ଉମାକାନ୍ତ ରାଉତ ଏବଂ ବରିଷ୍ଠ ଉଦ୍ୟୋଗୀ ସୀମା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

Share