ଦିଗପହଣ୍ଡି,୩୦ା୪(ଅଶେଷ ନାଥ ମିଶ୍ର): ଚୁଡୁଙ୍ଗପୁର ସ୍ଥିତ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ କୋରେଶୁ ସେଠୀ ପୌରହିତ୍ୟ କରିଥିଲେ। ଅବସର ଗ୍ରହଣ କରିଥିବା ସାନଖେମୁଣ୍ଡି ବିଆର୍ସିସି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାମ ଚନ୍ଦ୍ର ପଣ୍ଡା, ଆମ୍ବ ଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ ପଟ୍ଟନାୟକ, ଦୋଳବ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ ଏବଂ ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଆତସି ପାଣିଗ୍ରାହୀଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା। ଅବସରପ୍ରାପ୍ତ ଏବିଇଓ ତଥା ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ସେମାନଙ୍କ ଶିକ୍ଷକତା ଜୀବନର କିଛି ସ୍ମୃତି ଓ ଅଭିଜ୍ଞତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏବିଇଓ ରୀତାଞ୍ଜଳି ରଥ, ବରିଷ୍ଠ କିରାଣୀ ପରମାନନ୍ଦ ବେହେରା, ରଞ୍ଜନ ପଟ୍ଟନାୟକ, ଜିତେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ନାୟକ, ବିନାୟକ ତ୍ରିପାଠୀ, ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


