ଜମିବାଡ଼ିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା: ୩ କୋର୍ଟ ଚାଲାଣ

ଭବାନୀପାଟଣା,୨୮ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଜମିବାଡ଼ିକୁ କେନ୍ଦ୍ର କରି କାହ୍ନୁ ଚରଣ ଠାକୁର ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମୃତକଙ୍କ ପୁଅ ସର୍ବେଶ୍ୱର ଠାକୁର ଜୁନାଗଡ଼ ଥାନାରେ ଏତଲା ଦେଇଛନ୍ତି। ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଏହି ଘଟଣାରେ ସଂପୃକ୍ତ ଥିବା ୩ ଜଣକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗ୍ରାମର ମାନସ ଗୋପାଲ, ବିମଲ ଗୋପାଲ ଓ ଅଶୋକ ଗୋପାଲ।

ମିଳିଥିବା ସୂଚନାନୁଯାୟୀ ମୃତ କାହ୍ନୁ ଠାକୁର ଏକ ସରକାରୀ ଜାଗାକୁ ରାସ୍ତା ରୂପେ ବ୍ୟବହାର କରୁଥିଲେ। ତେବେ ଉପରୋକ୍ତ ଅଭିଯୁକ୍ତମାନେ ଉକ୍ତ ରାସ୍ତାକୁ କାଟି ଦେଇଥିଲେ। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ କାହ୍ନୁଙ୍କୁ ଲାତ, ବିଧା ମାରିବା ସହ ତଣ୍ଟି ଚିପି ଦେଇଥିଲେ। ଫଳରେ ଗୁରୁତର ଅବସ୍ଥାରେ କାହ୍ନୁଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।