Categories: ବାଣିଜ୍ୟ

ଫେବୃୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୦୭%

ନୂଆଦିଲ୍ଲୀ,,୧୫।୩ : ଗତ କିଛିଦିନ ହେବ ଅନେକ ସମସ୍ୟା ଯୋଗୁ ଭାରତରେ ସବୁ ସାମଗ୍ରୀର ଦର ବୃଦ୍ଧି ହୋଇଛି। ବିଶେଷକରି ଅତ୍ୟାବଶ୍ୟକ ଓ ଖାଦ୍ୟପଦାର୍ଥ ସାମଗ୍ରୀ ମହଙ୍ଗା ହେବାରୁ ଚଳିତ ବର୍ଷ ଫେବୃୟାରୀର ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣିଥରେ ବୃଦ୍ଧି ପାଇଛି। ଚଳିତ ବର୍ଷର ଫେବୃୟାରୀ ମୁଦ୍ରାସ୍ଫୀତିି ହାର ୬.୦୭%ରେ ପହଞ୍ଚତ୍ଛି। ସୋମବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଫେବୃୟାରୀରେ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୬.୦୭%କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟରେ ମୁଦ୍ରାସ୍ଫୀତି ହାର ୫.୦୩ % ରହିଥିଲା। ସେହିଭଳି ଖୁଚୁରା ମୁଦ୍ରାସ୍ଫୀତିି ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ( ଆର୍‌ବିଆଇ)ଙ୍କ ଧାର୍ଯ୍ୟ ସୀମା ୬% ଉପରେ ଲଗାତର ୨ୟ ଥର ପାଇଁ ରହିଛି। ଅପରପକ୍ଷରେ ଆର୍‌ବିଆଇଙ୍କ ଆଗାମୀ ମୁଦ୍ରାନୀତିରେ ଦେଶରେ ସୁଧହାର ପରିବର୍ତ୍ତନ ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ସେହିପରି ଯଦି ନୀତି ସମୀକ୍ଷାରେ ଆର୍‌ବିଆଇ ସୁଧହାର ବୃଦ୍ଧି କରନ୍ତି ତେବେ ଲୋକଙ୍କ ଉପରେ ସରଳ ମାସିକ କିସ୍ତି (ଇଏମ୍‌ଆଇ) ବୋଝ ବଢ଼ିବ ବୋଲି ଆକଳନ କରାଯାଉଛି।
ଖାଉଟି ମୁଦ୍ରାସ୍ଫୀତି ହାର ବୃଦ୍ଧିରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ଉଚ୍ଚା ରହିବ ବୋଲି କୁହାଯାଉଛି। ବାର୍ଷିକ ଆଧାରରେ କେବଳ ଫେବୃୟାରୀରେ ଏହା ୧୬.୪୪% କୁ ପହଞ୍ଚତ୍ୟାଇଛି। ଏହାଛଡା ପନିପରିବା ଦରରେ ମଧ୍ୟ ୬.୧୩% ବୃଦ୍ଧି ଦେଖାଦେଇଛି। ଏହି ସମୟରେ ମାଛ, ମାଂସ ଦରରେ ୭.୪୫% ଓ ଅଣ୍ଡା ଦରରେ ୪.୧୫% ବୃଦ୍ଧି ଘଟିଛି। ଖାଦ୍ୟଶସ୍ୟ ଉତ୍ପାଦନରେ ୩.୯୫% ଏବଂ ଚିନି ଓ କନ୍‌ଫେକ୍ସନାରିରେ ୫.୪୧% ପର୍ଯ୍ୟନ୍ତ ଅଭିବୃଦ୍ଧି ହୋଇଛି। ଖାଦ୍ୟପେୟ ସାମଗ୍ରୀ ବ୍ୟତୀତ ଇନ୍ଧନ ଓ ବିଦ୍ୟୁତ୍‌ ଶକ୍ତିରେ ୮.୭୩%, ବସ୍ତ୍ର ଓ ଜୋତାରେ ୮.୮୬%, ଆବାସ କ୍ଷେତ୍ରରେ ୩.୫୭% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଚଳିତ ବର୍ଷ ଫେବୃୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିବାର ଯେଉଁ କାରଣ ଦେଖାଯାଇଛି ତାହା ହେଉଛି ଖାଦ୍ୟ ଉତ୍ପାଦର ମୂଲ୍ୟ ବୃଦ୍ଧି। ଗତ ମାସରେ ଖାଦ୍ୟ ଉତ୍ପାଦ ଦରରେ ୫.୮୯% ବୃଦ୍ଧି ହୋଇଥିଲା, ଯାହା ଜାନୁୟାରୀରେ ୫.୪୩% ପର୍ଯ୍ୟନ୍ତ ବଢ଼ିଥିଲା।

Share