Categories: ଫୁରସତ

ବିଲ୍‌ରେ ୫୦ ପଇସା ଅଧିକ ନେବା ପଡ଼ିଲା ମହଙ୍ଗା, ରେଷ୍ଟୁରାଣ୍ଟକୁ ୧୦ ହଜାର ଟଙ୍କା ଜରିମାନା

ରେଷ୍ଟୁରାଣ୍ଟରେ ଖାଇବା ପରେ ବିଲ୍‌ରେ ଅଳ୍ପ କିଛି ଟଙ୍କା ଅଧିକ ନିଆଗଲେ ଅନେକ ଗ୍ରାହକ ଏହାକୁ ସାମାନ୍ୟ କଥା ଭାବି ଅଣଦେଖା କରିଦିଅନ୍ତି । କିନ୍ତୁ ରାଜସ୍ଥାନର ଜୟପୁରରେ ଏକ ରେଷ୍ଟୁରାଣ୍ଟକୁ ମାତ୍ର ୫୦ ପଇସା ଅଧିକ ନେବା ମହଙ୍ଗା ପଡ଼ିଛି । ଗ୍ରାହକଙ୍କ ଅଭିଯୋଗ ପରେ ମାମଲା ଉପଭୋକ୍ତା ଆୟୋଗରେ ପହଞ୍ଚିଥିଲା। ଏବେ ରେଷ୍ଟୁରାଣ୍ଟକୁ ଅତିରିକ୍ତ ନିଆଯାଇଥିବା ୫୦ ପଇସା ଫେରାଇବା ସହ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି ।

ଏକ ରିପୋର୍ଟ ଅନୁଯାୟୀ, ଜୟପୁର ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ରେଷ୍ଟୁରାଣ୍ଟକୁ ୫୦ ପଇସା ଫେରାଇବା ସହ ଗ୍ରାହକଙ୍କୁ ୭ ହଜାର ଟଙ୍କା କ୍ଷତିପୂରଣ ଏବଂ ମାମଲାର ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି। ଘଟଣାଟି ଫେବ୍ରୁଆରୀ ୧୪ ତାରିଖ ଅର୍ଥାତ୍‌ ଭାଲେଣ୍ଟାଇନ୍ସ ଡେ’ର। ଜୟପୁରର ଜଣେ ୫୦ ବର୍ଷୀୟ ବ୍ୟକ୍ତି ନିଜ ବିବାହ ବାର୍ଷିକୀ ଓ ଭାଲେଣ୍ଟାଇନ୍ସ ଡେ’ ପାଳନ କରିବା ପାଇଁ ପରିବାର ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସେଠାରେ ଖାଇବା ପରେ ବିଲ୍‌ ହୋଇଥିଲା ୧,୬୪୮ ଟଙ୍କା ୫୦ ପଇସା। କିନ୍ତୁ ରେଷ୍ଟୁରାଣ୍ଟ କର୍ମଚାରୀ ତାଙ୍କଠାରୁ ୧,୬୪୯ ଟଙ୍କା ନେଇଥିଲେ।

ବିଲ୍‌ରେ ଅତିରିକ୍ତ ୫୦ ପଇସା ଯୋଡ଼ାଯିବାକୁ ଗ୍ରାହକ ବିରୋଧ କରିଥିଲେ । ସେ UPI ମାଧ୍ୟମରେ ପେମେଣ୍ଟ କରୁଥିବାରୁ ପ୍ରକୃତ ବିଲ୍‌ ଅନୁଯାୟୀ ଟଙ୍କା ଦେଇପାରିବେ ବୋଲି କହିଥିଲେ । ତଥାପି ରେଷ୍ଟୁରାଣ୍ଟ କର୍ମଚାରୀ ନିଜ ପଲିସିର ଦ୍ୱାହି ଦେଇ ବିଲ୍‌କୁ ରାଉଣ୍ଡ ଅଫ୍‌ କରି ସମ୍ପୂର୍ଣ୍ଣ ଟଙ୍କା ଦେବାକୁ କହିଥିଲେ । ଏପରିକି ତାଙ୍କ ସହ ଠିକ୍‌ ବ୍ୟବହାର କରାଯାଇନଥିବା ଏବଂ ଅଧିକ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିବା ଗ୍ରାହକ ଅଭିଯୋଗ କରିଥିଲେ।

ଏହାକୁ ଅନୁଚିତ ବ୍ୟବସାୟିକ ଆଚରଣ ଏବଂ ସେବାରେ ଅବହେଳା ଦର୍ଶାଇ ଗ୍ରାହକ ଜିଲା ଉପଭୋକ୍ତା ଆୟୋଗରେ ଅଭିଯୋଗ କରିଥିଲେ । ଅକ୍ଟୋବର ୨୭ ତାରିଖରେ ଆୟୋଗ ଏହି ମାମଲାରେ ରାୟ ଶୁଣାଇଥିଲେ । ଗ୍ରାହକଙ୍କ ଅନୁମତି ବିନା ବିଲ୍‌ର ରାଶି ବଢ଼ାଇବା ଅନୁଚିତ ବ୍ୟବସାୟିକ ଆଚରଣ ବୋଲି ଆୟୋଗ କହିଥିଲେ। ଶୁଣାଣି ସମୟରେ ରେଷ୍ଟୁରାଣ୍ଟ ପକ୍ଷରୁ କେହି ଉପସ୍ଥିତ ନଥିବାରୁ ଆୟୋଗ ଏକତରଫା ଭାବେ ମାମଲାର ଶୁଣାଣି କରିଥିଲେ । ଶେଷରେ ଅତିରିକ୍ତ ନିଆଯାଇଥିବା ୫୦ ପଇସା ଫେରାଇବା ସହ ୭ ହଜାର ଟଙ୍କା କ୍ଷତିପୂରଣ ଓ ୩ ହଜାର ଟଙ୍କା ମାମଲା ଖର୍ଚ୍ଚ ଦେବାକୁ ରେଷ୍ଟୁରାଣ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Share