ମୁଖ୍ୟମନ୍ତ୍ରୀଙ୍କଠାରୁ ଉପହାର ପାଇଁ ଖୁସି ପ୍ରକଟ କଲେ ସ୍ବାଭିମାନ ଅଞ୍ଚଳବାସୀ

ଚିତ୍ରକୋଣ୍ଡା,୧୪।୩(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବଡ଼ପଡ଼ାଠାରେ ଉତ୍କର୍ଷ ଶିକ୍ଷାକେନ୍ଦ୍ରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ଼ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଛନ୍ତି। ୧୯ କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ଏହି ଉତ୍କର୍ଷ ଶିକ୍ଷାକେନ୍ଦ୍ର। ଏଠାରେ ଉନ୍ନତମାନର ଶିକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ। ଗରିବ ଆଦିବାସୀ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଏଭଳି ପ୍ରୟାସ କରାଯାଇଛି। ଏଠି ସ୍ମାର୍ଟ କ୍ଲାସ, ସ୍ମାର୍ଟ ଲାଇବ୍ରେରୀ,କମ୍ପ୍ୟୁଟର ଲ୍ୟାବ୍‌ ରହିଛି। ଏହା ସହ ସୁନ୍ଦର ପାର୍କ ସାଙ୍ଗକୁ ପିଲାଙ୍କ ଖେଳ ପାଇଁ ବ୍ୟାଡମିଣ୍ଟେନ , ବାସ୍କେଟ ବଲ ଏବଂ ଖୋଖୋ ଖେଳିବା ପାଇଁ ବ୍ୟବସ୍ଥା କରାଯାଇଛି। ଆହୁରି ପିଲାଙ୍କ ପାଇଁ ଆକ୍ଟିଭିଟି ସେଣ୍ଟର, ଯୋଗ ଶିକ୍ଷା ବ୍ୟବସ୍ଥା ରହିଛି। ଏହି ଉତ୍କର୍ଷ ଶିକ୍ଷାକେନ୍ଦ୍ରରେ ୬୦୦ ଛାତ୍ରୀଛାତ୍ରୀ ବର୍ତ୍ତମାନ ସୁବିଧା ପାଇବେ। ସ୍ବାଭିମାନ ଅଞ୍ଚଳରେ ଯେମିତି କୌଣସି ପିଲା ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ସମସ୍ତଙ୍କୁ ଏଠି ଉନ୍ନତମାନର ଶିକ୍ଷା ଦିଆଯିବ। ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ ପାଇଁ ସ୍ବାଭିମାନ ଅଞ୍ଚଳ ବାସୀ ବେଶ୍‌ ଖୁସି ପ୍ରକଟ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l