Categories: ବାଣିଜ୍ୟ

ଘର କ୍ରେତାଙ୍କ ସମସ୍ୟା ଦୂରକରିବ ରେରା:ମୋଦି

ଲକ୍ଷ୍ନୌ : ବିଲ୍ଡର ଏବଂ ଘର କିଣୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଶ୍ୱାସ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଛି। ଏଭଳି ବିଭିନ୍ନ ଆନୁଷଙ୍ଗିକ ସମସ୍ୟା ଦୂରକରିବା ଲାଗି ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି(ରେରା) ଗଠନ କରାଯାଇଛି। ଏହା ଘର କିଣୁଥିବା ବ୍ୟକ୍ତିବିଶେଷଙ୍କ ସମସ୍ୟା ଦୂରକରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ଭିଡିଓକନ୍‌ଫରେନ୍ସି ଯୋଗେ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶୁଭାରମ୍ଭ କରି ମୋଦି କହିଛନ୍ତି, କିଛି ଖରାପ ପ୍ରବୃତ୍ତି ରଖୁଥିବା ଲୋକଙ୍କ ପାଇଁ ସମଗ୍ର ରିୟଲ ଇଷ୍ଟେଟ କ୍ଷେତ୍ର ନାମ ବଦନାମ ହେଉଛି। ଏ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଯୋଗୁ ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ବିଭିନ୍ନ ଅସୁବିଧା ସାମ୍ନା କରିବାକୁ ପଡୁଛି।
ରେରା ଲାଗୁହେବା ପରେ ରିୟଲ ଇଷ୍ଟେଟ କ୍ଷେତ୍ରର ବିଭିନ୍ନ ସମସ୍ୟା ସମାଧାନ ତ୍ୱରିତ ହୋଇଛି। ସହରରେ ଲୋକଙ୍କ ଜୀବନକୁ ସରଳ କରିବା ଲାଗି ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ ସରକାର ହାତକୁ ନେଉଥିବା ସେ କହିଛନ୍ତି। ଅତ୍ୟାଧୁନିକ ପବ୍ଲିକ ଟ୍ରାନ୍ସପୋର୍ଟଠାରୁ ଆରମ୍ଭକରି ହାଉସିଂ ଯାଏ ବିଭିନ୍ନ ଦିଗକୁ ଧ୍ୟାନରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ଆଓ୍ବାସ ଯୋଜନାରେ ଗରିବଙ୍କୁ ସହାୟତା ଯୋଗାଇଦେବା ଲାଗି ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଇଛି। ସହରାଞ୍ଚଳରେ ୧୨ ଲକ୍ଷ ମଧ୍ୟବିତ୍ତ ପରିବାରଙ୍କୁ ଘର କ୍ରୟରେ ସହାୟତା ଯୋଗାଇଦେବା ଲାଗି ସରକାର ୨୮ ହଜାର କୋଟି ଟଙ୍କା ସୁବିଧା କରିଛନ୍ତି। ଅମୃତ ଯୋଜନାରେ ଜଳ ଏବଂ ସ୍ବେରେଜ ଭିତ୍ତିଭୂମି ନିର୍ମାଣ ଏବଂ ଅତ୍ୟାଧୁନିକ ଉପାୟରେ ବର୍ଜ୍ୟବସ୍ତୁ ପରିଚାଳନା ଭଳି ବ୍ୟବସ୍ଥା ହାତକୁ ନିଆଯାଇଛି ବୋଲି ମୋଦି ମତ ରଖିଛନ୍ତି।

Share