ଗ୍ରୀନ୍‌ ଦୀପାବଳି ପାଳନ କରିବାକୁ ଅନୁରୋଧ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୨ା୧୧(ଡି.ଏନ୍‌.ଏ.): ଭିଡିଓ କନ୍‌ଫରେନ୍ସି ଜରିଆରେ ଜିଲାସ୍ତରୀୟ କୋଭିଡ୍‌ ପରିଚାଳନା ବୈଠକ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦୋକାନଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ବସ୍‌, ଅଟୋ, ତହସିଲ, ବ୍ଲକ କାର୍ଯ୍ୟାଳୟ ସେବା, ଚିକିତ୍ସାଳୟ ଇତ୍ୟାଦି ସମସ୍ତ ସରକାରୀ ବେସରକାରୀ ସେବାଗୁଡ଼ିକ ବିନା ମାସ୍କରେ ସେବା ଯୋଗାଇ ଦେବାକୁ ବାରଣ କରାଯାଇଛି। ଲୋକ କୌଣସି କାମରେ ଘରକୁ ବାହାରିଲେ ମାସ୍କ ଯେମିତି ପିନ୍ଧିବା ସୁନିଶ୍ଚିତ କରିବେ ସେହିଭଳି ସଚେତନତା ଆବଶ୍ୟକତା ରହିଛି। ସବୁ ସ୍ଥାନରେ ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକୁ ବ୍ୟାପକ କରନ୍ତୁ। ମନ୍ଦିରଗୁଡ଼ିକରେ ସୀମିତ ସ୍ଥାନ ରହିଛି ଏବଂ ଭିତରେ ବାୟୁ ଚଳପ୍ରଚଳ ଠିକ ରୂପେ ହୋଇପାରୁନାହିଁ । ସେଥି ସକାଶେ ମନ୍ଦିରକୁ ଯାଇ ସଂକ୍ରମିତ ନ ହେବା ପାଇଁ ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ସତର୍କ କରାଇ ଦିଆଯାଉଛି। ସଂକ୍ରମଣ ପୁଣି ଥରେ ବ୍ୟାପି ପାରେ। ଏଣୁ ମନ୍ଦିର ଖୋଲିବାକୁ ବାରଣ କରାଯାଇଛି। ଜଣେ ହେଲେ କୋଭିଡ୍‌ ଯୋଦ୍ଧା ସଂକ୍ରମଣ ହେବେ ନାହିଁ ସେଥିପ୍ରତି ସଜାଗ ରୁହନ୍ତୁ। ଦୈନିକ ଟେଷ୍ଟ ପାଇଁ ଯାହା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଯେମିତି ପୂରଣ ହେବ ସେହି ଦିଗରେ ଧ୍ୟାନ ଦିଅନ୍ତୁ। ଦୀପାବଳି ପୂର୍ବରୁ ସମସ୍ତ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କାମ ଶେଷ କରି ଷ୍ଟିକର ଲଗାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତ ସପ୍ତାହର ସମଗ୍ର ଜିଲାରେ ଯେପରି ଗ୍ରୀନ ଦୀପାବଳି ହେବ ସେଥିପାଇଁ ଜିଲାବାସୀଙ୍କୁ ଜିଲାପାଳ ଅନୁରୋଧ କରିଥିଲେ। ବାଣ ନ ଫୁଟାଇ କେବଳ ଦୀପ ଜାଳି ଦୀପାବଳି ପାଳନ କରିବାକୁ କୁହାଯାଇଛି। ପାର୍କ ଖେଳପଡ଼ିଆକୁ ଯାଇ ଲୋକେ ଓ୍ବାକ୍‌ କରିପାରିବେ,କିନ୍ତୁ ସାମାଜିକ ଦୂରତ୍ୱ ପ୍ରତି ସଜାଗ ରହିବାକୁ କୁହାଯାଇଛି। ବୈଠକରେ ମହାନଗର ନିଗମ କମିଶନର ଡଃ ସିନ୍ଧେଶ୍ୱର ବଳିରାମ ବନ୍ଦାର, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲାପାଳ ଓ୍ବ. କୀର୍ତ୍ତି ଓ୍ବାସନ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲା ଚିକିତ୍ସାଧିକାରୀ ଡଃ ଉମାଶଙ୍କର ମିଶ୍ର,ଜରୁରୀକାଳିନ ଅଧିକାରୀ ଡଃ ଦିବ୍ୟଲୋଚନ ମହାନ୍ତ, ଜିଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ,ଜିଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।