Categories: ଜାତୀୟ

୨ ଝିଅଙ୍କ ଆଗରେ ଖବରଦାତାଙ୍କୁ ଗୁଳି

ଗାଜିଆବାଦ,୨୨ା୭: ଉତ୍ତରପ୍ରଦେଶର ଗାଜିଆବାଦରେ ଦୁର୍ବୃତ୍ତମାନେ ଜଣେ ଖବରଦାତାଙ୍କୁ ତାଙ୍କ ଦୁଇ ଝିଅଙ୍କ ସାମ୍ନାରେ ଗୁଳି କରିଛନ୍ତି। ଏନେଇ ପୋଲିସ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବରଦାତା ବିକ୍ରମ ଜୋଷୀ ଏକ ସ୍ଥାନୀୟ ଦୈନିକ ଖବରକାଗଜରେ କାମ କରୁଥିଲେ। ତାଙ୍କ ଝିଆରୀଙ୍କୁ କେତେଜଣ ବ୍ୟକ୍ତି ହଇରାଣ କରୁଥିବା ନେଇ ସେ ଗତ ୧୬ ତାରିଖରେ ବିଜୟ ନଗର ଥାନାରେ ଏତଲା ଦେଇଥିଲେ। ବିକ୍ରମ ସୋମବାର ରାତି ୧୦ଟା ୩୦ରେ ବାଇକ୍‌ରେ ତାଙ୍କ ଦୁଇଝିଅଙ୍କୁ ବୁଲାଇନେଇଥିଲେ। ସେମାନେ ଫେରୁଥିବାବେଳେ ବିଜୟ ନଗର ଏରିଆରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଘେରିଯାଇଥିଲେ। ବିକ୍ରମ କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ମୁଣ୍ଡକୁ ଗୁଳି କରି ଫେରାର ହୋଇଯାଇଥିଲେ। ବିକ୍ରମ ରାସ୍ତାରେ ପଡ଼ିଯାଇଥିବାବେଳେ ତାଙ୍କ ବଡ଼ଝିଅ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ପରେ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ବିକ୍ରମଙ୍କ ଭାଇ ଅଙ୍କିତ ଜୋଷୀ ଥାନାରେ ଏତଲା ଦେଇଥିଲେ। ସିସିଟିଭି ଫୁଟେଜ ଆଧାରରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଛୋଟୁଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି। ଇତିମଧ୍ୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି।

Share