ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ

ମୁମ୍ବାଇ,୯ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗୁରୁବାର କ୍ରମାଗତ ଦ୍ୱିତୀୟ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ଆଣିନାହିଁ। ଗତ ୬ ତାରିଖରୁ ଚାଲିଥିବା ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ୬ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ରିପର୍ଚେଜ୍‌ ରେଟ୍‌ (ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଦେଉଥିବା ଋଣ ଉପରେ ସୁଧ)କୁ ୬.୫୦%ରେ ସୀମିତ ରଖିବା ସପକ୍ଷରେ ଭୋଟ ଦେଇଥିଲେ ବୋଲି ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।
ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନକରି ଶକ୍ତିକାନ୍ତ କହିଛନ୍ତି, ୨୦୨୩ ମାର୍ଚ୍ଚ-ଏପ୍ରିଲରେ ଉପଭୋକ୍ତା ମୂଲ୍ୟ ମୁଦ୍ରାସ୍ଫୀତି (ସିପିଆଇ) ହ୍ରାସ ପାଇଥିଲେ ହେଁ ଧାର୍ଯ୍ୟ ଲକ୍ଷ୍ୟ ୪% ଉପରେ ରହିଛି। ଚଳିତ ଆର୍ଥିକବର୍ଷର ଅବଶିଷ୍ଟ ସମୟରେ ଏଥିରେ ବିଶେଷ ପରିବର୍ତ୍ତନ ଆସି ନ ପାରେ। ମୌସୁମୀଜନିତ ବୃଷ୍ଟିପାତ ଅନୁମାନ ଏବଂ ଏଲ୍‌ ନିନୋର ପ୍ରଭାବ ଅପରିବର୍ତ୍ତିତ ରହିଥିବାରୁ ମୁଦ୍ରାସ୍ଫୀତି ଉପରେ କଡ଼ା ନଜର ରହିବ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକବର୍ଷ (୨୦୨୩ ଏପ୍ରିଲରୁ ୨୦୨୪ ମାର୍ଚ୍ଚ)ରେ ମୋଟ ଘରୋଇ ଉତ୍ସାଦ (ଜିଡିପି) ଅଭିବୃଦ୍ଧି ୬.୫% ରହିବା ଆକଳନ କରିଛି। ତେବେ ଖୁଚୁରା ମୁଦ୍ରାସ୍ଫୀତି ୫.୨%ରୁ ୫.୧%କୁ ଖସିବା ଅନୁମାନ କରିଛି। ଗତ ଆର୍ଥିକବର୍ଷରେ ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାରତର ଅଭିବୃଦ୍ଧି ୭.୨% ରହିଥିଲା। କମୋଡିଟିଜ୍‌ ମୂଲ୍ୟ ହ୍ରାସ ପାଇବାରେ ଲାଗିଥିବାରୁ ବିଶ୍ୱର ଅଧିକାଂଶ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବୃଦ୍ଧି ବନ୍ଦ କରିଥିବା ଅଷ୍ଟ୍ରେଲିଆ ଓ କାନାଡା ସୁଧହାର ବଢ଼ାଇଚାଲିଛନ୍ତି, ଯାହାକୁ ନେଇ ଆର୍ଥିକ ବଜାର ଚକିତ ହୋଇଯାଇଛି। ଆର୍‌ବିଆଇ ୨୦୨୨ ମେ’ରୁ ଅଦ୍ୟାବଧି ରେପୋ ରେଟ୍‌ରେ ୨୫୦ ବେସିସ୍‌ ପଏଣ୍ଟ୍ସ (ବିପିଏସ୍‌) ବୃଦ୍ଧି କରିସାରିଥିବାରୁ ଆଉ ନ ବଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଗର୍ଭନର ଶକ୍ତିକାନ୍ତ କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ପରବର୍ତ୍ତୀ ଏମ୍‌ପିସି ବୈଠକ ଅଗଷ୍ଟ ୮ରୁ ୧୦ ପର୍ଯ୍ୟନ୍ତ ଚାଲିବ।

Share