ଭୁବନେଶ୍ଵର, ୧୯।୨: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲା ରେମୁଣା ତହସିଲଦାର ଶ୍ରୀ ବିଦ୍ୟାଧର ପତିଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ପତିଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ ୧୩/୦୨/୨୦୨୫ ରେ ଏ ସମ୍ପର୍କିତ କେସ୍ ଦାୟର୍ କରାଯାଇଥିବା ବେଳେ ସେ ଗିରଫ୍ ହୋଇ ଜେଲ୍ ଯାଇଥିଲେ ।
ଏହି ନିଲମ୍ବନ ନହିଟିବା ପର୍ଯ୍ୟନ୍ତ ପତିଙ୍କ ମୁଖ୍ୟାଳୟ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥିର ହୋଇଛି । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇ ପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ, ରେମୁଣା ତହସିଲଦାରଙ୍କ ବିଦ୍ୟାଧର ପତିଙ୍କ କାର୍ୟ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ତିନୋଟି ସ୍ଥାନ, ବାଲେଶ୍ବର କୁରୁଡା ଏବଂ ସୋର ମଧ୍ୟ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଥିଲା। ବାବୁଙ୍କ ଠାରୁ ୯୧୭ ଗ୍ରାମ ସୁନା ଜବତ କରିଥିଲା ଭିଜିଲାନ୍ସ। ଏହାସହ ୧ କୋଟି ଟଙ୍କାର ପୋଷ୍ଟାଲ ଡିପୋଜିଟ ଓ ୨୦ ଲକ୍ଷ ଟଙ୍କାର ନଗଦ କାରବାର ହୋଇଥିବା ଜଣାପଡିଥିଲା।
ସେହିପରି ୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ଏବଂ ଅନ୍ୟାନ୍ୟ ଜମା ଓ ପୁଞ୍ଜିନିବେଶ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା ଭିଜିଲାନ୍ସ। ତେବେ ଶୈଳଶ୍ରୀ ବିହାରରେ ଥିବା ୧ କୋଟି ଟଙ୍କାର ୩-ବିଏଚକେ ଫ୍ଲାଟ ଏବଂ ବାଲେଶ୍ବର କୁରୁଡାରେ ଫ୍ଲାଠ ଠାବ ହୋଇଥିଲା। ଭୁବନେଶ୍ବର ରୁଦ୍ରପୁରରେ ଥିବା ଦେଢ଼ କୋଟି ଟଙ୍କାର ୩-ବିଏଚକେ ଫ୍ଲାଟ, ଭେୁବନେଶ୍ବର ଓ ବାଲେଶ୍ବରରେ ଦୁଇଟି ପ୍ଲଟ ମଧ୍ୟ ଠାବ କରିଥିଲା ଭିଜିଲାନ୍ସ। ଅନ୍ୟପକ୍ଷେ ଏକ ୪ଚକିଆ ଯାନ ସହ ଦୁଇଟି ଦୁଇ ଚକିଆ ଯାନ ଜବତ ହୋଇଥିଲା।


