ଓ୍ବାଶିଂଟନ/ତେହରାନ୍,୧।୬: ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା। ଇରାନ ଅଣୁଅସ୍ତ୍ରର ବିକାଶ କରିବ ନାହଁି ବୋଲି ଗ୍ୟାରେଣ୍ଟି ଦେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଅନ୍ୟପକ୍ଷରେ ଆମେରିକାର କୌଣସି ଚୁକ୍ତିରେ ତେହରାନ୍ ରାଜି ନୁହେଁ ବୋଲି ଇରାନର ମୁଖ୍ୟ ବୁଝାମଣାକାରୀ ତଥା ପାର୍ଲାମେଣ୍ଟ ବାଚସ୍ପତି ମହମ୍ମଦ ବଘେର ଘଲିବାଫ୍ କହିଛନ୍ତି। ଆମେରିକାର ପ୍ରତିଶ୍ରୁତିରେ ଆମର ବିଶ୍ୱାସ ନାହିଁ। ଇରାନୀୟମାନଙ୍କ ଅଧିକାରର ସୁରକ୍ଷା ପାଇଁ ଗ୍ୟାରେଣ୍ଟି ନ ମିଳିବା ପର୍ଯ୍ୟନ୍ତ ଆମେ ଚୁକ୍ତିନାମାରେ ସ୍ବାକ୍ଷର କରିବୁ ନାହିଁ ବୋଲି ଘଲିବାଫ୍ ସ୍ପଷ୍ଟ କରିଦେଇଛନ୍ତି।
ଇରାନୀୟଙ୍କ ଅଧିକାରର ସୁରକ୍ଷା ପାଇଁ ଆମେରିକା ଏପର୍ଯ୍ୟନ୍ତ କୌଣସି ଗ୍ୟାରେଣ୍ଟି ଦେଇ ନ ଥିବାରୁ ଏହାର ସର୍ତ୍ତ ସହ ତେହରାନ୍ ଏକମତ ନୁହେଁ ବୋଲି ଘଲିବାଫ୍ ସରକାରୀ ଟେଲିଭିଜନକୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଆମେ ଶତ୍ରୁର କଥା ଓ ପ୍ରତିଶ୍ରୁତିରେ ବିଶ୍ୱାସ କରୁନାହୁଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତ ଫେବୃଆରୀ ୨୮ରୁ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଆକ୍ରମଣ କରିବା ପରଠାରୁ ତେହରାନ୍ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ଅବରୋଧ କରି ରଖିଥିବାରୁ ଇନ୍ଧନ ପରିବହନ ବାଧାପ୍ରାପ୍ତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଦେଇ ବିଶ୍ୱ ତୈଳ ଆବଶ୍ୟକତାର ୨୦ ପ୍ରତିଶତ ପରିବହନ ହେଉଥିଲା। ଯୋଗାଣ ବନ୍ଦ ଫଳରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଅତ୍ୟଧିକ ବୃଦ୍ଧି ପାଇବାରୁ ବିଭିନ୍ନ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଗତ ଏପ୍ରିଲ ୮ରୁ ଅସ୍ତ୍ରବିରତି ଲାଗୁ ହୋଇଥିବାବେଳେ ପରେ ଟ୍ରମ୍ପ୍ ଏହାର ସମୟସୀମାକୁ ବଢ଼ାଇଥିଲେ। ତେବେ ସ୍ଥାୟୀ ଯୁଦ୍ଧ ବନ୍ଦ ପାଇଁ ଏପର୍ଯ୍ୟନ୍ତ ସହମତି ହୋଇପାରୁ ନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା କଠୋର ସର୍ତ୍ତ ରଖୁଥିବାବେଳେ ଇରାନ ତାହାକୁ ଗ୍ରହଣ କରୁନାହିଁ। ସେହିପରି ଇରାନର ସର୍ତ୍ତକୁ ମଧ୍ୟ ମାନିବାକୁ ଆମେରିକା ନାରାଜ। ଏକାଧିକ ପର୍ଯ୍ୟାୟ ଆଲୋଚନା ଏବଂ ପ୍ରସ୍ତାବ ବିନିମୟ ସତ୍ତ୍ୱେ ଚୁକ୍ତିନାମା ଚୂଡ଼ାନ୍ତ ହେବା ନେଇ ଅନିଶ୍ଚିତତା ଜାରି ରହିଛି। ଶନିବାର ଟ୍ରମ୍ପ୍ ପଠାଇଥିବା ସର୍ତ୍ତାବଳୀକୁ ଇରାନ ଅଧିକ କଠୋର ବୋଲି କହିଥିଲା। ଟ୍ରମ୍ପ ଶନିବାର ଏକ ସାକ୍ଷାତ୍କାରରେ କହିଥିଲେ, ଚୁକ୍ତି ସ୍ବାକ୍ଷର ହେବା ମାତ୍ରେ ଆମେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ଖୋଲିଦେଇପାରିବା। ସେମାନେ ଅଣୁଅସ୍ତ୍ର ଆଉ ତିଆରି କରିବେ ନାହିଁ, ଏହି ଗ୍ୟାରେଣ୍ଟି ଆମକୁ ମିଳିଛି ବୋଲି ଟ୍ରମ୍ପ୍ କହିଥିଲେ। ଅନ୍ୟପକ୍ଷରେ ଆଣବିକ କାର୍ଯ୍ୟକ୍ରମ ଉପରେ ବୁଝାମଣାରେ ପହଞ୍ଚତ୍ବା ପୂର୍ବରୁ ଇରାନ ଏହାର ଅଟକି ରହିଥିବା ୧୨ ବିଲିୟନ ଡଲାର ଜବତ ସମ୍ପତ୍ତି ଛାଡ଼ିଦେବାକୁ ଦାବି କରିଛି। ଇରାନ ଏହାର ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ ନଷ୍ଟ କରିଦେବ ବୋଲି ଟ୍ରମ୍ପ୍ କହିଥିବାବେଳେ ତେହରାନ୍ ଏହାକୁ ଖଣ୍ଡନ କରିଥିଲା। ଏଭଳି କୌଣସି ଚୁକ୍ତି ହୋଇ ନ ଥିବା ତେହରାନ୍ କହିଥିଲା।