ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା ପାଇଁ ସତର୍କ କରାଯାଇଛି । ନେଚତ୍ ସେମାନଙ୍କର ଜୀବନ ବିପଦରେ ପଡିପାରେ ବୋଲି କୁହାଯାଇଛି ।
ମଙ୍ଗଳବାର ଦିନ X ରେ ଏହାର ପାର୍ସୀ ଭାଷା ଆକାଉଣ୍ଟ ମାଧ୍ୟମରେ ଜାରି କରାଯାଇଥିବା ଏହି ଚେତାବନୀରେ ସାଧାରଣ ନାଗରିକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ରେଳ ପରିବହନ ବ୍ୟବହାର କରିବାରୁ ନିବୃତ୍ତ ରହିବାକୁ କୁହାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ, “ଆପଣଙ୍କ ସୁରକ୍ଷା ପାଇଁ, ଆମେ ଦୟାକରି ଅନୁରୋଧ କରୁଛୁ ଯେ ଏହି ମୁହୂର୍ତ୍ତରୁ ଇରାନ ସମୟ ରାତି ୯ (IST ରାତି ୧୧) ପର୍ଯ୍ୟନ୍ତ, ଆପଣ ସମଗ୍ର ଇରାନରେ ଟ୍ରେନ ବ୍ୟବହାର ଏବଂ ଯାତ୍ରା କରିବାରୁ ନିବୃତ୍ତ ରୁହନ୍ତୁ । ଟ୍ରେନ ଏବଂ ରେଳ ଲାଇନ୍ ନିକଟରେ ରହିଲେ ଜୀବନ ବିପଦରେ ପଡିପାରେ ।”
ଫେବୃଆରୀ ୨୮ ତାରିଖରେ ପ୍ରାରମ୍ଭିକ ଆକ୍ରମଣ ପରେ ଇସ୍ରାଏଲ, ଆମେରିକା ସହ ମିଶି ଇରାନ ସହିତ ସଂଘର୍ଷ ଜାରି ରଖିଛି । ଉଭୟ ପକ୍ଷ ଧମକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପରିସ୍ଥିତି ଆହୁରି ତୀବ୍ର ହେବାରେ ଲାଗିଛି। ପରାମର୍ଶରେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ରେଳପଥ ବିଷୟରେ ଉଲ୍ଲେଖ କରିନାହିଁ, ଯାହା ବିପଦର ପ୍ରକୃତି ଉପରେ ଅନିଶ୍ଚିତତା ଛାଡିଛି । ଇରାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚେତାବନୀ ପ୍ରତି ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

