ଭୁବନେଶ୍ୱର,୩୦ା୭(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନିୟମରେ ଅଧିକ ସଂସ୍କାର ଆଣିବା ପାଇଁ ଲକ୍ଷ୍ୟ ରହିଛିି। ଏହାକୁ ନେଇ ୪ ପ୍ରମୁଖ ବିଭାଗଠାରୁ ତଥ୍ୟ ଲୋଡ଼ାଯାଇଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଜୁଲାଇ ୨୩ରେ ପତ୍ର ଲେଖି ରିପୋର୍ଟ ଲୋଡ଼ିଛନ୍ତି। ପ୍ରମୁଖ ଶାସନ ସଚିବ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ନିୟମାବଳୀ-୨୦୨୫ର ବିଜ୍ଞପ୍ତି ଉକ୍ତବର୍ଷ ଡିସେମ୍ବରରେ ପ୍ରକାଶ ପାଇଛି। ଏହାର ସୂଚୀ-୧ରେ ସଂପୃକ୍ତ ବିଭାଗର ସମସ୍ତ ୟୁନିଫର୍ମଡ୍ ସେବା/ପଦବୀକୁ ସାମିଲ କରାଯାଇଛି। ଏହି ପ୍ରସଙ୍ଗରେ କେତେକ ପଦବୀ ସମ୍ପର୍କରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଆସିଛି। ତେଣୁ ସଂଶୋଧନ ପୂର୍ବରୁ ନିୟମ ଅନୁଯାୟୀ ସଂପୃକ୍ତ ବିଭାଗର ମତାମତ ଆବଶ୍ୟକ। ବଶିଷ୍ଠ ଗୃହ, ଜଙ୍ଗଲ ଓ ପରିବେଶ, ବାଣିଜ୍ୟ ଓ ପରିବହନ ଏବଂ ଅବକାରୀ ବିଭାଗକୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ୟୁନିଫର୍ମଡ୍ ସେବା/ପଦବୀର ତାଲିକାକୁ ଯାଞ୍ଚକରି ବିଭାଗରେ ବର୍ତ୍ତମାନ ଥିବା କୌଣସି ୟୁନିଫର୍ମଡ୍ ସେବା/ପଦବୀର ନାମକରଣ କିମ୍ବା ବିବରଣୀରେ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରସ୍ତାବ ଯଦି ରହିଛି, ତେବେ ତୁରନ୍ତ ପ୍ରଦାନ କର। ଯଦି ବିଭାଗ ପକ୍ଷରୁ କୌଣସି ପ୍ରସ୍ତାବ ନ ଥାଏ, ତେବେ ସେ ସମ୍ପର୍କରେ ‘ନିଲ୍ ରିପୋର୍ଟ’ ମଧ୍ୟ ପଠାଇବାକୁ ବଶିଷ୍ଠ ଅନୁରୋଧ କରିଛନ୍ତି।
Dharitri – Odisha’s No.1 Odia Daily

