Categories: ବାଣିଜ୍ୟ

ମୋବାଇଲର ଅନ୍ୟାନ୍ୟ ସାମଗ୍ରୀ ଉପରେ କଷ୍ଟମ୍‌ ଡ୍ୟୁଟି ହ୍ରାସ

ଭୁବନେଶ୍ୱର,୧।୨(ଅନୁରାଧା ମହାରଣା): ମୋବାଇଲ ଫୋନ୍‌ ଉତ୍ପାଦନରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଉପରେ ଲାଗୁ କରାଯାଇଥିବା ୧୫ ପ୍ରତିଶତ କଷ୍ଟମ ଡ୍ୟୁଟି ୧୦ ପ୍ରତିଶତକୁ ହ୍ରାସ ପାଇଛି। କଷ୍ଟମ ଡ୍ୟୁଟିରେ କେନ୍ଦ୍ର ସରକାର ୩ଟି ବର୍ଗରେ ବିଜ୍ଞପ୍ତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି। ଏହି କ୍ରମରେ ଅବଶିଷ୍ଟ ବର୍ଗରେ ମୋବାଇଲ ଫୋନ ଉତ୍ପାଦନରେ ବ୍ୟବହାର ପାଇଁ ସାମଗ୍ରୀ ପାଇଁ ପ୍ରଯୁଜ୍ୟ କଷ୍ଟମ୍ସ ଡ୍ୟୁଟି ହ୍ରାସ କରାଯାଇଛି। ପୂର୍ବରୁ ‘ଅନ୍ୟାନ୍ୟ ଦ୍ରବ୍ୟ’ ଭାବରେ ବିବେଚନା କରାଯାଉଥିବା ମୋବାଇଲ୍‌ ବ୍ୟାଟେରି କଭର, ଫ୍ରଣ୍ଟ କଭର, ମିଡିଲ କଭର, ମୁଖ୍ୟ (ମେନ୍‌) ଲେନ୍ସ, ବ୍ୟାକ୍‌ କଭର, ଜିଏସ୍‌ଏମ୍‌ ଆଣ୍ଟେନା, ପିୟୁ କେସ୍‌, ସିଲ୍‌ ଗ୍ୟାସ୍କେଟ, ସିମ୍‌ ସକେଟ, ସ୍କ୍ରୁ ଏବଂ ପ୍ଲାଷ୍ଟିକ ଓ ଧାତୁର ଅନ୍ୟାନ୍ୟ ଯାନ୍ତ୍ରିକ ସାମଗ୍ରୀ ଉପରେ ଏହି ଡ୍ୟୁଟି ହ୍ରାସ କରାଯାଇଛି। ଏହି ବିଜ୍ଞପ୍ତିରେ ତାଲିକାଭୁକ୍ତ ସାମଗ୍ରୀର ଉତ୍ପାଦନରେ ବ୍ୟବହାର ପାଇଁ ଇନ୍‌ପୁଟ କିମ୍ବା ଅଂଶ ଉପରେ କଷ୍ଟମ ଡ୍ୟୁଟି ନିଆଯିବ ନାହିଁ । ଶିଳ୍ପ ପାଇଁ କଷ୍ଟମ ଶୁଳ୍କ ହ୍ରାସ କରିବାକୁ ସରକାରଙ୍କ ପଦକ୍ଷେପକୁ ମୋବାଇଲ ଇଣ୍ଡଷ୍ଟ୍ରି ଅତ୍ୟଧିକ ସ୍ବାଗତ କରିଛି। ରପ୍ତାନି ନେତୃତ୍ୱ ଅଭିବୃଦ୍ଧି, ନୀତିର ସ୍ଥିରତା ସୁନିଶ୍ଚିତ କରିବା ଏବଂ ଉତ୍ପାଦନରେ ପ୍ରତିଦ୍ୱନ୍ଦ୍ୱିତାକୁ ସମାଧାନ କରିବା କ୍ଷେତ୍ରରେ ଏହି ସଂଶୋଧନ ଏକ ଗୁରୁତ୍ୱପୂର୍ଣ୍ଣ ନୀତି ପରିବର୍ତ୍ତନ ବୋଲି କୁହାଯାଇଛି। ଏହି ଶୁଳ୍କ ହ୍ରାସ ନେଇ କେନ୍ଦ୍ର ରେଳ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଇଣ୍ଡିଆ ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ଆସିଇଏ)ର ଅଧ୍ୟକ୍ଷ ପଙ୍କଜ ମହିନ୍ଦ୍ରୋ କହିଛନ୍ତି, ଭାରତରେ ମୋବାଇଲ ଉତ୍ପାଦନ ଓ ରପ୍ତାନିକୁ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ଦ୍ୱାରା ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ବାଗତଯୋଗ୍ୟ ପଦକ୍ଷେପ।

 

Share