ପ୍ରାଣୀ ଚିକିତ୍ସାଳୟରେ କର୍ମଚାରୀ ନିଯୁକ୍ତି ଦିଆଯାଉ

ଲାଠୋର, ୮ା୬(ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଅଧିନ ଲାଠୋର ପ୍ରାଣୀ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ବିଭିନ୍ନ ପଦବୀ ଖାଲି ପଡ଼ିରହିଥିଲେ ମଧ୍ୟ ସେଠାରେ ନିଯୁକ୍ତି ଦିଆଯାଉ ନାହିଁ। ଫଳରେ ସ୍ଥାନୀୟ ଜନସାଧାରଣ ଗାଈ, ବଳଦ, ଛେଳି, ମେଣ୍ଢା ଇତ୍ୟାଦି ପ୍ରାଣୀକୁ ନେଇ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଲାଠୋର ଗ୍ରାମରେ ଏକ ପ୍ରାଣୀ ଚିକିତ୍ସାଳୟ ରହିଛି। ଏତେ ପୁରୁଣା ଚିକିତ୍ସାଳୟ ହୋଇଥିଲେ ମଧ୍ୟ ଏଠାରେ ବରାବର କର୍ମଚାରୀ ଅଭାବ ଲାଗି ରହିଛି। ଏହି ଚିକିତ୍ସାଳୟ ଉପରେ ଅଞ୍ଚଳର ୩୪ଖଣ୍ଡ ଗ୍ରାମବାସୀଙ୍କ ସହ ତୁରେକେଲା ବ୍ଲକ ଅଧିନ ମହୁଲପାଟି ଏବଂ ହଲନଭଟା ପଞ୍ଚାୟତର ୧୦ ଖଣ୍ଡ ଏହିପରି ସମୁଦାୟ ୪୩ ଖଣ୍ଡ ଗ୍ରାମର ଅଧିବାସୀ ନିର୍ଭର କରି ଚଳୁଛନ୍ତି। ସଂଖ୍ୟାଧିକ ଗ୍ରାମବାସୀ ନିର୍ଭର କରୁଥିବା ହେତୁ ସୁବିଧା ଦୃଷ୍ଟିରୁ ସାନଗୁର୍ଜିଭଟା ଏବଂ ସାହାଜପାଣି ନାମରେ ଦୁଇ ଗୋଟି ପ୍ରାଣୀ ସହାୟକ କେନ୍ଦ୍ର ମଧ୍ୟ ଖୋଲାଗଲା। ହେଲେ କର୍ମଚାରୀ ନିଯୁକ୍ତି ଦିଆଗଲା ନାହିଁ। ବର୍ତ୍ତମାନ ଲାଠୋର ଚିକିତ୍ସାଳୟରେ କେବଳ ଜଣେ ମାତ୍ର ପ୍ରାଣୀ ଚିକିତ୍ସକ ଡ଼ା.କାରୋ ମାରାଣ୍ଡି ନିଯୁକ୍ତ ରହିଥିବା ବେଳେ ଦୁଇଗୋଟି ପ୍ରାଣୀ ସହାୟକ କେନ୍ଦ୍ର ସାନଗୁର୍ଜିଭଟାରେ ଏଲଆଇ ରମାକାନ୍ତ ଖମାରୀ ଏବଂ ସାହାଜପାଣିିରେ ଗଣେଶ ପଧାନ ଏଲଆଇ ଭାବେ ନିଯୁକ୍ତ ରହିଛନ୍ତି। ନିୟମ ଅନୁସାରେ ଲାଠୋର ଚିକିତ୍ସାଳୟରେ ଚିକିତ୍ସକଙ୍କ ସହ ଜଣେ ପରିଚାରକ(ଆଟାଣ୍ଡାଣ୍ଟ) ଏବଂ ଜଣେ ୱାଚର ନିଯୁକ୍ତି ଦେବା ସହ ଦୁଇ ଗୋଟି ପ୍ରାଣୀ ସହାୟକ କେନ୍ଦ୍ରରେ ଜଣେ ଲେଖାଏଁ ପରିଚାରକ ନିଯୁକ୍ତି ଦେବା କଥା। ହେଲେ ଏଠାରେ ଆବଶ୍ୟକତା ରହିଥିବା କର୍ମଚାରୀ ନିଯୁକ୍ତି ଦିଆଯାଉ ନାହିଁ। ଫଳରେ ଅଞ୍ଚଳର ଅଧିବାସୀ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। କର୍ମଚାରୀ ଅଭାବ ହେତୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଯୋଗୁ ଅଞ୍ଚଳର ଲୋକ ଘରେ ଘରେ ରଖିଥିବା ଗୃହପାଳିତ ପଶୁ ଆଉ ରଖିବାକୁ ଉଚିତ ମନେ ନ କରି ବିକ୍ରୟ କରି ଦେଉଛନ୍ତି। ଏହି କାରଣ ଯୋଗୁ ଲାଠୋର ଅଞ୍ଚଳରୁ କ୍ରମାଗତ ଭାବେ ଦେଶୀ ଗୋରୁ, ଛେଳି, ମେଣ୍ଢା ଲୋପ ପାଇବାରେ ଲାଗିଛି। ତେଣୁ ଆବଶ୍ୟକତା ମୁତାବକ କର୍ମଚାରୀ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।
ବରାବର କର୍ମଚାରୀ ଅଭାବ ଲାଗି ରହିଥିବାବେଳେ ଏଠାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କୁ ଅନ୍ୟତ୍ର ବଦଳି କରାଯିବା ପରିସ୍ଥିତିକୁ ଆହୁରି ସଙ୍ଗିନ କରି ପକାଇବା ଆଶଙ୍କା ସୃଷ୍ଟି କ଼ରୁଛି। ଏନେଇ ଖପ୍ରାଖୋଲ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡ଼ା. ସପ୍ନେଶ୍ୱର ନାଏକଙ୍କୁ ପଚାରିବାରୁ କିଛି କହିପାରିବି ନାହଁି ବୋଲି କହିଥିଲେ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ଼ା.ସନ୍ତୋଷ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ବର୍ତ୍ତମାନ ଆମ ପାଖରେ କର୍ମଚାରୀ ଅଭାବ ରହିଛି। ଯେଉଁ ସ୍ଥାନମାନଙ୍କରେ କର୍ମଚାରୀ ଅଭାବ ରହିଛି ସେଠାରେ ନିଯୁକ୍ତି ଦେବାକୁ ଉପର ମହଲକୁ ସୁପାରିସ କରିଛି ବୋଲି କହିଥିଲେ।