Categories: ବାଣିଜ୍ୟ

ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୧।୨: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୧୦ମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ବୁଧବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ଜାନୁଆରୀରେ ଦେଶର ଜିଏସ୍‌ଟି ସଂଗ୍ରହ ୧.୭୨(୧,୭୨,୧୨୯) ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ଟିକସ ରାଜସ୍ବ ଆକାରରେ ସଂଗ୍ରହ କରାଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା ଟିକସ ପରିମାଣଠାରୁ ଏହା ୧୦.୪% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ଜାନୁଆରୀରେ ସଂଗୃହୀତ ଟିକସ ପରିମାଣ ୧,୫୫, ୯୨୨ଲକ୍ଷ କୋଟିଠାରୁ ୨୦୨୩-୨୪ ଆର୍ଥିକ ବର୍ଷର ଜାନୁଆରୀରେ ୧୦.୪% ଅଧିକ ଟିକସ ସଂଗୃହୀତ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨୦୨୩-୨୪ ଆର୍ଥିକ ବର୍ଷ ( ଏପ୍ରିଲରୁ ଜାନୁଆରୀ) ରେ ମୋଟ ୧୬.୬୯ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗ୍ରହ କରାଯାଇଥିଲାବେଳେ ୨୦୨୨-୨୩ ଆର୍ଥିକ ବର୍ଷ (ଏପ୍ରିଲରୁ ଜାନୁଆରୀ) ରେ ମୋଟ ୧୪.୯୬ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗ୍ରହୀତ ହୋଇଥିଲା। ଏପରିକି ବାର୍ଷିକ ଭିତ୍ତିରେ ଚଳିତ ଆର୍ଥିକ ବର୍ଷର ମୋଟ ଟିକସ ସଂଗ୍ରହ ୧୧.୬% ବୃଦ୍ଧି ହୋଇଛି। ଉଲ୍ଲେଖଯୋଗ୍ୟ, କ୍ରମାଗତ ୨୩ ମାସ ପାଇଁ ଦେଶର ଜିଏସ୍‌ଟି ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିବାବେଳେ ଚତୁର୍ଦ୍ଦଶ ଥର ପାଇଁ ୧.୫ଲକ୍ଷ କୋଟିରୁ ଅଧିକ ପରିମାଣର ଟିକସ ଆଦାୟ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୮ମ ଥର ଲାଗି ଜିଏସ୍‌ଟି ସଂଗ୍ରହ ୧.୬ ଲକ୍ଷ କୋଟିରୁ ଅଧିକ ରହିଥିବାବେଳେ ୩ୟ ଥର ଲାଗି ୧.୭ ଲକ୍ଷ କୋଟିରୁ ଅଧିକ ଏବଂ ଚଳିତ ଆର୍ଥିକ ବର୍ଷରେ ୨ୟ ଥର ପାଇଁ ୧.୭ ଲକ୍ଷ କୋଟିରୁ ଅଧିକ ଟିକସ ରାଜସ୍ବ ଆକାରରେ ଆଦାୟ କରାଯାଇଥିବା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ୍‌ରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।

Share