ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି।
ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ଆର୍ସିବି ୧୮ ପଏଣ୍ଟ ସହ ପ୍ରଥମ ଦଳ ଭାବେ ପ୍ଲେଅଫ୍ରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ଚଳିତ ସିଜନର ପ୍ରଥମାର୍ଦ୍ଧରେ ଅପରାଜିତ ରହିଥିବା ପଞ୍ଜାବ ପାଇଁ ଏହା ଲଗାତର ଷଷ୍ଠ ପରାଜୟ।
ଜେକବ ବେଥେଲ(୧୧)ଙ୍କ ଉଇକେଟ ହରାଇଥିବା ଆର୍ସିବିକୁ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ (୪୫ ରନ, ୨୫ ବଲ, ୪ ଚୌକା ଓ ୩ ଛକା) ଦ୍ୱିତୀୟ ଉଇକେଟରେ ୪୧ ବଲରେ ୭୬ ରନର ପାର୍ଟନରଶିପ୍ କରି ଦୃଢ଼ ମୂଳଦୁଆ ଦେଇଥିଲେ। ପରେ ଭେଙ୍କଟେଶ ଆୟାର ଏବଂ କୋହଲି ୧୫ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୧୫୭ ରନରେ ପହଞ୍ଚାଇଥିଲେ।
କୋହଲି (୫୮ ରନ, ୩୭ ବଲ, ୪ ଚୌକା ଓ ୩ ଛକା) ଅର୍ଦ୍ଧଶତକ ପୂରଣ କରିବା ପରେ ପାଭିଲିଅନ ଫେରିଥିଲେ। ସଂଘର୍ଷ କରୁଥିବା ଭେଙ୍କଟେଶ ଶେଷ ଆଡ଼କୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୪୦ ବଲରେ ୮ ଚୌକା ଓ ୪ ଛକା ସହିତ ଅପରାଜିତ ୭୩ ରନ କରିଥିଲେ। ତାଙ୍କ ସହିତ ଟିମ ଡେଭିଡ୍ଙ୍କର ୧୨ ବଲରେ ୨୮ (୧୨ ବଲ, ୨ ଲେଖାଏ ଚୌକା ଓ ଛକା) ରନ ଯୋଗୁ ଆର୍ସିବି ୨୦ ଓଭରରେ ୪ ଉଇକେଟ ହରାଇ ୨୨୨ ରନ କରିଥିଲା।
ଜବାବରେ ପଞ୍ଜାବ ମାତ୍ର ୧୯ ରନ ମଧ୍ୟରେ ପ୍ରିୟାଂଶ ଆର୍ଯ୍ୟା (୦), ପ୍ରଭସିମରନ ସିଂ (୨) ଓ ଅଧିନାୟକ ଶ୍ରେୟସ ଆୟାର(୧)ଙ୍କ ଉଇକେଟ ହରାଇଥିଲା। କୁପର କନୋଲି (୩୭ ରନ, ୨୨ ବଲ, ୩ ଲେଖାଏ ଚୌକା ଓ ଛକା) ଓ ସୂର୍ଯ୍ୟାଂଶ ଶେଡ୍ଗେ (୩୫ ରନ, ୨୨ ବଲ, ୨ ଲେଖାଏ ଚୌକା ଓ ଛକା) ଦଳୀୟ ସ୍ଥିତିରେ କିଛିଟା ସୁଧାର ଆଣିଥିଲେ। ଏହାପରେ ଶଶାଙ୍କ ସିଂ (୫୬ ରନ, ୨୭ ବଲ, ୪ ଲେଖାଏ ଚୌକା ଓ ଛକା) ଓ ମାର୍କସ ଷ୍ଟୋଇନିସ(୩୭ ରନ, ୫ ଚୌକା) ୩୨ ବଲରେ ଦ୍ରୁତ ୬୭ ରନର ପାର୍ଟନରଶିପ୍ କରି ଦଳକୁ ବିଜୟ ଆଶା ଦେଇଥିଲେ। ହେଲେ ଦୁହେଁ କ୍ରମାଗତ ବ୍ୟବଧାନରେ ଆଉଟ୍ ହେବାରୁ ପଞ୍ଜାବ ଶେଷ ପର୍ଯ୍ୟନ୍ତ ଖେଳିବା ସତ୍ତ୍ୱେ ୮ ଉଇକେଟ ହରାଇ ୧୯୯ ରନ କରିପାରିଥିଲା।