Categories: ବାଣିଜ୍ୟ

ଆର୍‌ବିଆଇ ଆଣିବ ଡିଜିଟାଲ କରେନ୍ସି

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏକ ଡିଜିଟାଲ କରେନ୍ସି ଆଣିବ। ଏହାର ମଡେଲ କିଭଳି ହେବ ସେ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି ବର୍ତ୍ତମାନ କାର୍ଯ୍ୟ ଜାରି ରଖିଛି। ଏ ନେଇ ଶୀଘ୍ର ନିଷ୍ପତ୍ତି ଆସିବ ବୋଲି ଆର୍‌ବିଆଇ ଡେପୁଟି ଗଭର୍ନର ବିଭୁ ପ୍ରସାଦ କାନୁନଗୋ ଶୁକ୍ରବାର ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ଡିଜିଟାଲ କରେନ୍ସି ଆଣିବା ନେଇ ପୂର୍ବରୁ ଆର୍‌ବିଆଇ ଘୋଷଣା କରିଥିଲା। ପୂର୍ବରୁ ବିଟ୍‌କଏନ କାରବାରକୁ ନେଇ ଆର୍‌ବିଆଇ ଆଶଙ୍କା ପ୍ରକଟ କରିଥିଲା। ଏହାକୁ ନଜରରେ ରଖି ନିଜସ୍ବ ଏକ ଭର୍ଚୁଆଲ କରେନ୍ସି ପ୍ରଚଳନ ସପକ୍ଷରେ କେନ୍ଦ୍ରୀୟ ବ୍ୟାଙ୍କ ରହିଥିଲା। ଘରୋଇ ଡିଜିଟାଲ କରେନ୍ସି ଉପରେ କଟକଣା ଲଗାଇବା ଲାଗି ଗତ ସପ୍ତାହରେ ସରକାର ଅଗ୍ରସର ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଡିଜିଟାଲ କରେନ୍ସିକୁ ବିଚାରକୁ ନେଲେ ଅଦ୍ୟାବଧି ଦସ୍ତାବିଜ ଜାରି କରାଯାଇଛି। ବର୍ତ୍ତମାନ କାର୍ଯ୍ୟକ୍ରମ ଜାରି ରହିଛି। ସେହିଭଳି କାନୁନଗୋ କହିଛନ୍ତି, ପୂର୍ବରୁ ମୁଦ୍ରାନୀତି କମିଟି ପକ୍ଷରୁ ଡିଜିଟାଲ କରେନ୍ସି ସମ୍ପର୍କରେ ଘୋଷଣା କରାଯାଇଛି। ସୂଚନା ଯୋଗ୍ୟ, ଘରୋଇ ଡିଜିଟାଲ କରେନ୍ସି(ପିଡିସି), ଭର୍ଚୁଆଲ କରେନ୍ସି(ଭିସି) ଏବଂ କ୍ରିପ୍ଟୋ କରେନ୍ସି(ସିସି) ଗତ କିଛି ବର୍ଷ ହେବ ବେଶ ଲୋକପ୍ରିୟତା ହାସଲ କରିଛି। ଏହି କରେନ୍ସିଗୁଡିକର ବ୍ୟବହାର ନେଇ ସରକାର ଏବଂ ନିୟାମକ ଆଶଙ୍କାରେ ରହିଛନ୍ତି। ବର୍ତ୍ତମାନ ପ୍ରଚଳିତ ମୁଦ୍ରାର ଡିଜିଟାଲ ଭର୍ସନ ଆଣିବା ଏବଂ ଏହାର ପ୍ରଚଳନର ବିଭିନ୍ନ ଦିଗ ଉପରେ କାର୍ଯ୍ୟକ୍ରମ ଜାରି ରହିଥିବା ଆର୍‌ବିଆଇ ଜାନୁୟାରୀରେ କହିଥିଲା।

Share