RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଡିଜିଟାଲ ଫ୍ରଡ ଓ ସାଇବର ଠକେଇକୁ ରୋକିବା ପାଇଁ RBI ପକ୍ଷରୁ UPI ବ୍ୟବସାୟ ଆକାଉଣ୍ଟର KYC ସମ୍ପର୍କରେ ନୂଆ ନିୟମ ଜାରି ହୋଇଥିବା ଦାବି କରାଯାଉଛି।

ଦିଆଯାଇଥିବା ସୂଚନା ଅନୁସାରେ, ସମସ୍ତ ବ୍ୟବସାୟୀଙ୍କୁ Re-KYC କରାଇବାକୁ ପଡ଼ିବ ଏବଂ ଏଥିପାଇଁ ୧୫ ସେପ୍ଟେମ୍ବର ୨୦୨୬ ଶେଷ ତାରିଖ ରହିଥିବା କୁହାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ KYC ଅପଡେଟ ନକଲେ QR କୋଡ ବ୍ଲକ ହୋଇପାରେ ବୋଲି ଦାବି ରହିଛି।

ବର୍ତ୍ତମାନ ସମୟରେ ଡିଜିଟାଲ ଫ୍ରଡ ଓ ସାଇବର ଠକେଇ ମାମଲା ବଢ଼ୁଥିବାରୁ ବ୍ୟବସାୟ ଆକାଉଣ୍ଟଗୁଡ଼ିକର ତଥ୍ୟ ଯାଞ୍ଚକୁ ଗୁରୁତ୍ୱ ଦିଆଯାଉଛି। ଅଭିଯୋଗ ରହିଛି ଯେ, କିଛି ଲୋକ ଜାଲ ଦସ୍ତାବିଜ କିମ୍ବା ଅନ୍ୟ ବ୍ୟକ୍ତିଙ୍କ ନାମରେ ବ୍ୟବସାୟ ଆକାଉଣ୍ଟ ଖୋଲି ଠକେଇର ଟଙ୍କା ସେହି ଆକାଉଣ୍ଟକୁ ଆଣୁଛନ୍ତି।

Re-KYC ମାଧ୍ୟମରେ ପ୍ରକୃତ ବ୍ୟବସାୟୀ କିଏ ଏବଂ କିଏ ବ୍ୟବସାୟ ନାମରେ QR କୋଡ ବ୍ୟବହାର କରୁଛି, ତାହା ଚିହ୍ନଟ କରିବା ସହଜ ହେବ ବୋଲି କୁହାଯାଉଛି। ଏହାଦ୍ୱାରା ନକଲି QR କୋଡ ଓ ସନ୍ଦେହଜନକ ବ୍ୟବସାୟ ଆକାଉଣ୍ଟ ଉପରେ ନଜର ରଖିବାରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ସହାୟତା ମିଳିପାରେ।

ଏହି ନିୟମ ଲାଗୁ ହେଲେ ବଡ଼ ବ୍ୟବସାୟୀଙ୍କ ତୁଳନାରେ ଛୋଟ ବ୍ୟବସାୟୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ରାସ୍ତାକଡ଼ର ଚା’ ଦୋକାନୀ, ଠେଲା ବ୍ୟବସାୟୀ, ପରିବା ବିକ୍ରେତା ଓ ଅନ୍ୟ ଛୋଟ ବ୍ୟବସାୟୀମାନେ QR କୋଡ୍‌ରେ ପେମେଣ୍ଟ ନେଉଥିଲେ ମଧ୍ୟ Re-KYC ପ୍ରକ୍ରିୟା ବିଷୟରେ ଅବଗତ ନଥାଇପାରନ୍ତି।

ବିଶେଷକରି ଅନଲାଇନରେ ଦସ୍ତାବିଜ ପୁଣିଥରେ ଅପଲୋଡ କରିବା କିମ୍ବା KYC ଅପଡେଟ କରିବା ନେଇ ଅନେକ ଛୋଟ ବ୍ୟବସାୟୀଙ୍କ ପାଖରେ ପର୍ଯ୍ୟାପ୍ତ ଜ୍ଞାନ ନଥାଇପାରେ। ତେଣୁ ଏପରି କୌଣସି ନିୟମ ଲାଗୁ ହୋଇଥିଲେ, ସମ୍ପୃକ୍ତ ବ୍ୟାଙ୍କ, UPI ଆପ କିମ୍ବା ପେମେଣ୍ଟ ସର୍ଭିସ ପ୍ରୋଭାଇଡରଙ୍କ ଅଧିକୃତ ନିର୍ଦ୍ଦେଶ ଅନୁସାରେ KYC ସମ୍ପର୍କିତ କାର୍ଯ୍ୟ କରିବା ଜରୁରୀ।

Dharitri – Odisha’s No.1 Odia Daily

Share
Tags: UPI