ନୁଆଦିଲ୍ଲୀ, ୨୨।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୧ ଅକ୍ଟୋବର ୨୦୨୬ରେ ପୁଡୁଚେରୀ କୋ-ଅପରେଟିଭ ଅର୍ବାନ ବ୍ୟାଙ୍କ ଲିମିଟେଡ ଉପରେ କଠୋର ପରିଚାଳନାଗତ କଟକଣା ଲଗାଇଛି। ଜମାକାରୀଙ୍କ ସ୍ବାର୍ଥର ସୁରକ୍ଷା ଏବଂ ବ୍ୟାଙ୍କର ନଗଦ ଅର୍ଥର ସ୍ଥିତିକୁ ଦୃଷ୍ଟିରେ ରଖି RBI ଜାରି କରିଥିବା ନିର୍ଦ୍ଦେଶ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଲାଗୁ ରହିବ। ଏହି ସମୟ ମଧ୍ୟରେ ଜମାକାରୀମାନେ କିଛି ସର୍ତ୍ତ ଅନୁଯାୟୀ ନିଜ ଖାତାରୁ ସର୍ବାଧିକ ୫,୦୦୦ ଟଙ୍କା ଉଠାଇପାରିବେ।
RBIର ଏହି କଟକଣା ଅନୁଯାୟୀ, ପୁଡୁଚେରୀ କୋ-ଅପରେଟିଭ ଅର୍ବାନ ବ୍ୟାଙ୍କ ଲିମିଟେଡ ରିଜର୍ଭ ବ୍ୟାଙ୍କର ପୂର୍ବ ଲିଖିତ ଅନୁମତି ବିନା କୌଣସି ନୂଆ ଋଣ କିମ୍ବା ଅଗ୍ରିମ ରାଶି ପ୍ରଦାନ କରିପାରିବ ନାହିଁ। ଏପରିକି ପୂର୍ବରୁ ଦିଆଯାଇଥିବା ଋଣର ନବୀକରଣ ମଧ୍ୟ କରିପାରିବ ନାହିଁ।
ଏହାବ୍ୟତୀତ, RBIର ନିର୍ଦ୍ଦେଶରେ ଉଲ୍ଲେଖ ଥିବା ସର୍ତ୍ତ ପୂରଣ ନକରି ବ୍ୟାଙ୍କ କୌଣସି ନୂଆ ନିବେଶ କରିପାରିବ ନାହିଁ। ନୂଆ ଦାୟିତ୍ୱ ଗ୍ରହଣ କରିବା, ଋଣ ମାଧ୍ୟମରେ ପାଣ୍ଠି ସଂଗ୍ରହ କରିବା, ନୂଆ ଜମା ଗ୍ରହଣ କରିବା, କୌଣସି ଅର୍ଥ ପ୍ରଦାନ କରିବା କିମ୍ବା ନିଜ ସମ୍ପତ୍ତି ବିକ୍ରି ଓ ହସ୍ତାନ୍ତର କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି।
ବ୍ୟାଙ୍କର ବର୍ତ୍ତମାନର ନଗଦ ଅର୍ଥ ସ୍ଥିତିକୁ ବିଚାରକୁ ନେଇ RBI ଜମାକାରୀଙ୍କୁ ସେମାନଙ୍କ ସଞ୍ଚୟ ଖାତା, ଚଳନ୍ତି ଖାତା କିମ୍ବା ଅନ୍ୟାନ୍ୟ ଖାତାରୁ ସର୍ବାଧିକ ୫,୦୦୦ ଟଙ୍କା ଉଠାଇବାକୁ ଅନୁମତି ଦେଇଛି।
ତେବେ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। RBI ସ୍ପଷ୍ଟ କରିଛି ଯେ, ଏହି କଟକଣା ଲାଗୁ ହେବାର ଅର୍ଥ ବ୍ୟାଙ୍କର ଲାଇସେନ୍ସ ରଦ୍ଦ ହୋଇଯାଇଛି ନୁହେଁ। ବ୍ୟାଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଏହା ଉପରେ ଲାଗୁ ହୋଇଥିବା କଟକଣା ଅନୁଯାୟୀ ବ୍ୟାଙ୍କ ନିଜର କାରବାର ଜାରି ରଖିବ।
ଯେତେବେଳେ କୌଣସି ବ୍ୟାଙ୍କ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଏ କିମ୍ବା ଦେବାଳିଆ ହେବାର ଆଶଙ୍କା ଦେଖାଦିଏ, ସେତେବେଳେ ବ୍ୟାଙ୍କିଂ ରେଗୁଲେସନ ଆକ୍ଟ, ୧୯୪୯ (Banking Regulation Act, 1949) ଅନୁଯାୟୀ RBI ଏଥିରେ ହସ୍ତକ୍ଷେପ କରିଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଜମାକାରୀଙ୍କ ସ୍ବାର୍ଥର ସୁରକ୍ଷା କରିବା ସହ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ଆର୍ଥିକ ବିଫଳତାରୁ ରକ୍ଷା କରିବା।