ନୂଆଦିଲ୍ଲୀ,୪।୭: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ନେଇ ଶୁକ୍ରବାର ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରବନୀତ ସିଂହଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ତେବେ ଜୁନ ୨୧ରେ ବିଟ୍ଟୁଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଶେଷ ହୋଇଥିଲା।ସଂସଦର ଉଚ୍ଚସଦନ ଅର୍ଥାତ୍ ରାଜ୍ୟ ସଭାରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏବଂ ଭାରତୀୟ ଜନତା ପାର୍ଟି (BJP ) ତାଙ୍କୁ ପୁନର୍ବାର ମନୋନୀତ କରି ନ ଥିବାରୁ ବିଟ୍ଟୁଙ୍କୁ ନିଜର ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଛି।
୨୦୨୪ ମସିହା ଲୋକ ସଭା ନିର୍ବାଚନରେ ପଞ୍ଜାବରୁ ପରାଜୟର ସମ୍ମୁଖୀନ ହେବା ସତ୍ତ୍ବେ, BJP ରବନୀତ ସିଂଙ୍କୁ ଦାୟିତ୍ୱ ଦେଇ ମୋଦି ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲା। ଏହାପରେ ତାଙ୍କୁ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଯାଇଥିଲା, ଯେଉଁଠାରେ ଜୁନ୍ ୨୦୨୬ରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥିଲା।
ରାଷ୍ଟ୍ରପତି ଭବନର ବିଜ୍ଞପ୍ତିରେ କୁହାଯାଇଛି ଯେ “ଭାରତର ସମ୍ବିଧାନର ଧାରା ୭୫ର ଉପ-ଧାରା (୨) ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଭାରତର ରାଷ୍ଟ୍ରପତି ରବନୀତ ସିଂହଙ୍କ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫାକୁ ତତ୍କ୍ଷଣାତ ପ୍ରଭାବରୁ ଗ୍ରହଣ କରିଛନ୍ତି।”
ଦିଲ୍ଲୀର ସଂସଦୀୟ ରାଜନୀତିରେ ପ୍ରାୟ ୧୭ ବର୍ଷ (ଲୋକ ସଭା ଏବଂ ରାଜ୍ୟ ସଭା ମିଶାଇ) ବିତାଇବା ପରେ ଏବେ ରବନୀତ ସିଂହ ସମ୍ପୂର୍ଣ୍ଣ ଭାବେ ନିଜର ଗୃହରାଜ୍ୟ ପଞ୍ଜାବରେ ସକ୍ରିୟ ହେବାକୁ ଯାଉଛନ୍ତି। ସେ ପୂର୍ବରୁ ମଧ୍ୟ ସୂଚନା ଦେଇଥିଲେ ଯେ ସେ ଏବେ ରାଜ୍ୟ ସ୍ତରରେ କାମ କରିବାକୁ ଚାହାଁନ୍ତି।