ନୂଆଦିଲ୍ଲୀ,୧୯।୧୦: ଟିମ ଇଣ୍ଡିଆର ଷ୍ଟାର୍ ଫାଷ୍ଟ ବୋଲର୍ ଜସପ୍ରୀତ ବମ୍ରାଙ୍କ ୱାର୍କଲୋଡକୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି। ଲଗାତାର ମ୍ୟାଚ ଖେଳିବା ଏବଂ ଆଗାମୀ ଟର୍ନାମେଣ୍ଟକୁ ଦୃଷ୍ଟିରେ ରଖି ବୁମ୍ରାଙ୍କୁ ନେଇ ଏକ ବଡ଼ ପରାମର୍ଶ ଦେଇଛନ୍ତି ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ। ତାଙ୍କ ମତରେ, ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ବୁମ୍ରାଙ୍କୁ ତିନୋଟି ଫର୍ମାଟରେ ନିୟମିତ ଖେଳିବା ଉଚିତ୍ ନୁହେଁ।
ରିପୋର୍ଟ ଅନୁସାରେ, ରବି ଶାସ୍ତ୍ରୀ କହିଛନ୍ତି ଯେ ବୁମ୍ରାଙ୍କୁ ଟେଷ୍ଟ କ୍ରିକେଟରେ ପ୍ରାଥମିକତା ଦେବା ଦରକାର। ଏହା ସହିତ ଆବଶ୍ୟକତା ଅନୁସାରେ ଦିନିକିଆ ଓ ଟି-୨୦ ମ୍ୟାଚ ଖେଳିବା ଉଚିତ୍। ଏହାଦ୍ୱାରା ତାଙ୍କ ଫିଟ୍ନେସ ବଜାୟ ରହିବା ସହ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳକୁ ଅଧିକ ଫାଇଦା ମିଳିପାରିବ।
ଶାସ୍ତ୍ରୀଙ୍କ ମତରେ, ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବୁମ୍ରାଙ୍କ ଉପସ୍ଥିତି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ତେଣୁ ତାଙ୍କୁ ଅନାବଶ୍ୟକ ଭାବେ ଅଧିକ ମ୍ୟାଚ ଖେଳାଇବା ପରିବର୍ତ୍ତେ ଉପଯୁକ୍ତ ବିଶ୍ରାମ ଦେବା ଆବଶ୍ୟକ।
ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳକୁ ୫ଟି ଟି-୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡ଼ିବ। ଏହି ବ୍ୟସ୍ତ କାର୍ଯ୍ୟସୂଚୀ ମଧ୍ୟରେ ବୁମ୍ରାଙ୍କ ୱାର୍କଲୋଡ ପରିଚାଳନା ଟିମ ମ୍ୟାନେଜମେଣ୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ଅନ୍ୟପଟେ, ଦୀର୍ଘ ସମୟ ପରେ ଭାରତୀୟ ଦଳକୁ ଫେରିଥିବା ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ରବି ଶାସ୍ତ୍ରୀ। ତାଙ୍କ ମତରେ, ଭୁବନେଶ୍ୱରଙ୍କ ଅଭିଜ୍ଞତା ଭାରତ ପାଇଁ ବେଶ ଉପଯୋଗୀ ହୋଇପାରେ। ଆଇପିଏଲରେ ତାଙ୍କ ପ୍ରଦର୍ଶନ ଏବଂ ନୂଆ ପରିସ୍ଥିତିରେ ବୋଲିଂ କରିବାର ଦକ୍ଷତା ନ୍ୟୁଜିଲାଣ୍ଡ ଗସ୍ତରେ ଦଳକୁ ସହାୟତା କରିପାରେ।
ଭାରତୀୟ ଦଳର ଅନ୍ୟତମ ଅଭିଜ୍ଞ ଦ୍ରୁତ ବୋଲର୍ ମହମ୍ମଦ ଶାମିଙ୍କ ସପକ୍ଷରେ ମଧ୍ୟ ମତ ରଖିଛନ୍ତି ଶାସ୍ତ୍ରୀ। ଘରୋଇ କ୍ରିକେଟରେ ଶାମିଙ୍କ ପ୍ରଦର୍ଶନକୁ ଆଧାର କରି ତାଙ୍କୁ ଭାରତର ଟେଷ୍ଟ ଓ ଦିନିକିଆ ଦଳରେ ସୁଯୋଗ ଦେବା ଉଚିତ୍ ବୋଲି ସେ ମତ ଦେଇଛନ୍ତି।
ଏବେ ନଜର ରହିବ ଚୟନକର୍ତ୍ତାମାନେ ବୁମ୍ରାଙ୍କ ୱାର୍କଲୋଡ ପରିଚାଳନା ସହ ଭୁବନେଶ୍ୱର ଓ ଶାମିଙ୍କ ଅଭିଜ୍ଞତାକୁ କିପରି ଉପଯୋଗ କରୁଛନ୍ତି।