ରବି ନନ୍ଦ ଅସୁସ୍ଥ

ଜୟପୁର, ୧୪।୨(ନି.ପ୍ର.):ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ବରିଷ୍ଠ ବିଜେଡି ନେତ୍ରୀ ତଥା ରବି ନନ୍ଦଙ୍କ ସ୍ତ୍ରୀ ଡ. ଇନ୍ଦିରା ନନ୍ଦ ସୂଚନା ଦେଇଛନ୍ତି। ରବି ନନ୍ଦ ଦକ୍ଷିଣ ଓଡ଼ିଶାର ଜଣେ ଅନ୍ୟତମ ଟାଣୁଆ ନେତା। ସେ ବିଧାୟକ ଭାବେ ଜୟପୁର ନିର୍ବାଚନମଣ୍ଡଳୀରୁ ୨୦୦୦, ୨୦୦୪ ଓ ୨୦୦୯ରେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ରବି ନନ୍ଦ ଜଳସେଚନ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେହିପରି ୨୦୦୯ରେ ସେ ଗଣଶିକ୍ଷା ମନ୍ତ୍ରୀ ହୋଇଥିଲେ।