ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ ନେଉନାହାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ଜାଲିଆତି ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନାର ଲାଭ ପହଞ୍ଚାଇବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।
ଝାଡ଼ଖଣ୍ଡ ସମେତ ଅନେକ ରାଜ୍ୟରେ ଲାଗୁ ହେଉଥିବା ନୂଆ ନିୟମ ଅନୁସାରେ, ଲଗାତାର ୬ ମାସ ଧରି ରାସନ ନ ନଉଥିବା ରାସନ କାର୍ଡଧାରୀଙ୍କ କାର୍ଡ ଅକ୍ଟୋବର ୧ ତାରିଖରୁ ଅସ୍ଥାୟୀ ଭାବେ ନିଷ୍କ୍ରିୟ (Deactivate) କରିଦିଆଯିବ।
ଯେଉଁ ରାସନ କାର୍ଡ ହିତାଧିକାରୀମାନେ ବିଗତ ୬ ମାସ ଧରି ପିଡିଏସ ଦୋକାନରୁ ନିଜର ରାସନ ନେଉନାହାନ୍ତି, ସେମାନଙ୍କୁ ‘ସାଇଲେଣ୍ଟ କାର୍ଡଧାରୀ’ (Silent Cardholders) ବର୍ଗରେ ରଖାଯାଇଛି। ଯାଞ୍ଚରୁ ଜଣାପଡ଼ିଛି ଯେ ଅନେକ ଲୋକ କେବଳ ଆୟୁଷ୍ମାନ ଭାରତ ଏବଂ ମୁଖ୍ୟମନ୍ତ୍ରୀ ମଇଁୟା ସମ୍ମାନ ଯୋଜନା ଭଳି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ରାସନ କାର୍ଡ ତିଆରି କରିଥିଲେ, କିନ୍ତୁ ସେମାନେ ରାସନ ନେଉନାହାନ୍ତି।
ସରକାର ଏଭଳି ନକଲି ବା ନିଷ୍କ୍ରିୟ କାର୍ଡଧାରୀଙ୍କୁ ଚିହ୍ନଟ କରି ତାଲିକାରୁ ବାଦ ଦେବାକୁ ଚାହୁଁଛନ୍ତି, ଯାହାଫଳରେ ପ୍ରକୃତ ଗରିବ ତଥା ଅଭାବୀ ଲୋକଙ୍କୁ ସେମାନଙ୍କର ଅଧିକାର ମିଳିପାରିବ।
ଯଦି ଆପଣଙ୍କ ରାସନ କାର୍ଡ ମଧ୍ୟ ଏହି ତାଲିକାରେ ଅଛି ଏବଂ ଆପଣ ଏହାକୁ ସକ୍ରିୟ ରଖିବାକୁ ଚାହୁଁଛନ୍ତି, ତେବେ ସରକାର ଆପଣଙ୍କୁ ସେପ୍ଟେମ୍ୱର ୨୧ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦେଇଛନ୍ତି। ସେପ୍ଟେମ୍ୱର ୨୧ ପୂର୍ୱରୁ ନିକଟସ୍ଥ PDS ଦୋକାନ (ଡିଲର)କୁ ଯାଇ ତୁରନ୍ତ ନିଜ ଭାଗର ରାସନ ଉଠାଇ ନିଅନ୍ତୁ। ଏପରି କଲେ ଆପଣଙ୍କ କାର୍ଡ ଆକ୍ଟିଭ ରହିବ। ଯଦି ଆପଣ ରାସନ ନ ନିଅନ୍ତି, ତେବେ ଅକ୍ଟୋବର ୧ ତାରିଖରୁ କାର୍ଡ ବ୍ଲକ ହୋଇଯିବ।
ଯଦି କୌଣସି କାରଣରୁ ଆପଣଙ୍କ କାର୍ଡ ଅକ୍ଟୋବର ୧ରୁ ନିଷ୍କ୍ରିୟ ହୋଇଯାଏ, ତଥାପି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କେନ୍ଦ୍ର ମନ୍ତ୍ରଣାଳୟର ଗେଜେଟ ବିଜ୍ଞପ୍ତି ଅନୁସାରେ, ଏପରି କାର୍ଡଧାରୀଙ୍କୁ ଅକ୍ଟୋବର ୧ରୁ ଜାନୁଆରୀ ୧, ୨୦୨୭ ପର୍ଯ୍ୟନ୍ତ (୩ ମାସର ସମୟ) e-KYC କରିବା ପାଇଁ ଅତିରିକ୍ତ ସୁଯୋଗ ଦିଆଯିବ।
ଏହି ସମୟ ମଧ୍ୟରେ ଫିଲ୍ଡ ଭେରିଫିକେସନ (କ୍ଷେତ୍ରସ୍ତରୀୟ ଯାଞ୍ଚ) ମାଧ୍ୟମରେ ଆପଣଙ୍କର e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ଏବଂ ସବୁକିଛି ଠିକ ମିଳିଲେ କାର୍ଡ ପୁନର୍ୱାର ସକ୍ରିୟ କରିଦିଆଯିବ।

