ଇସଲାମାବାଦ,୮।୩: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଏବେ କ୍ରିକେଟ ଜଗତର ଷ୍ଟାର୍ ସ୍ପିନର ରଶିଦ ଖାନଙ୍କୁ ନେଇ ବିବାଦ ଦେଖାଦେଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ଏକ ବିବାଦୀୟ ବୟାନ ଦେଇ ରଶିଦ ଖାନଙ୍କୁ ପାକିସ୍ତାନ ଛାଡ଼ି ଅନ୍ୟତ୍ର ଶରଣ ନେବାକୁ ପରାମର୍ଶ ଦେଇଛନ୍ତି।
ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ସୁରକ୍ଷା ଜନିତ ବିପଦ କାରଣରୁ ରଶିଦ ଖାନ ଏବଂ ତାଙ୍କ ପରିବାର ଏବେ ପାକିସ୍ତାନର ପେଶାୱରରେ ରହୁଛନ୍ତି। ୨୦୨୧ରେ ତାଲିବାନ ଶାସନକୁ ଆସିବା ପରେ ସେଠାରେ ଅସ୍ଥିରତା ଏବଂ ମାନବାଧିକାର ଉଲ୍ଲଂଘନ ବଢ଼ିବାରେ ଲାଗିଛି। ଫଳରେ ରଶିଦଙ୍କ ଭଳି ଅନେକ ହାଇ-ପ୍ରୋଫାଇଲ ନାଗରିକ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି। ପେଶାୱାର ଆଫଗାନ ସୀମାକୁ ଲାଗିଥିବାରୁ ଏଠାରେ ଅଧିକାଂଶ ଆଫଗାନ ଶରଣାର୍ଥୀ ବସବାସ କରନ୍ତି।
ତେବେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ (ପୂର୍ବରୁ ଟୁଇଟର)ରେ ଏକ ପୋଷ୍ଟ କରି ଆଫଗାନ ନାଗରିକଙ୍କ ପ୍ରତି କଠୋର ଶବ୍ଦ ବ୍ୟବହାର କରିଛନ୍ତି। ସେ ଲେଖିଛନ୍ତି, “ସେମାନେ କେବଳ ଅକୃତଜ୍ଞ ନୁହଁନ୍ତି, ବରଂ ସେମାନଙ୍କ ବିରୋଧରେ ବିଷ ମଧ୍ୟ ଓଗାଳନ୍ତି ଯେଉଁମାନେ ସେମାନଙ୍କୁ ସୁରକ୍ଷା ଏବଂ ଜୀବନ ଦେଇଛନ୍ତି।
ଯଦି ରଶିଦ ଖାନ ପେଶାୱରରେ ଅଛନ୍ତି, ତେବେ ତାଙ୍କୁ ଅନ୍ୟ କେଉଁଠି ଆଶ୍ରୟ ନେବା ଉଚିତ। ଅନେକ ଲୋକ ବର୍ଷ ବର୍ଷ ଧରି ଆମ ରକ୍ତ ଶୋଷୁଛନ୍ତି, ଏବେ ସେମାନଙ୍କୁ ଘରକୁ ଫେରିଯିବା ଉଚିତ। ତାଲିବାନ ଶାସନରେ ଆଫଗାନିସ୍ତାନ ତ ଏବେ ସ୍ବର୍ଗ ପାଲଟିଛି।”
ରଶିଦ ଖାନ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟି୨୦ ବୋଲର। ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍ରେ ଆଫଗାନିସ୍ତାନ ଦଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ଏହି ବିଫଳତା ପରେ ରଶିଦଙ୍କ ହାତରୁ ଅଧିନାୟକ ପଦ ଛଡ଼ାଇ ନିଆଯାଇଛି। ବର୍ତ୍ତମାନ ଇବ୍ରାହିମ ଜାଦ୍ରାନଙ୍କୁ ଆଫଗାନିସ୍ତାନ ଟି୨୦ ଦଳର ନୂଆ ଅଧିନାୟକ କରାଯାଇଛି।

