କିଶ୍ତୱାଡ,୨୧।୮: ଜମ୍ମୁ-କଶ୍ମୀରର କିଶ୍ତୱାଡରେ ୧୪ ବର୍ଷୀୟା ଜଣେ ନାବାଳିକାଙ୍କ ସହ ବଳାତ୍କାର ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ବଳାତ୍କାର ଯୋଗୁ ନାବାଳିକା ଗର୍ଭବତୀ ହୋଇଥିଲେ। ଗର୍ଭପାତ ପାଇଁ ତାଙ୍କୁ ଜରୁରୀକାଳୀନ ଭାବେ ଡୋଡା ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ମାମଲାରେ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଅଭିଯୁକ୍ତ କରାଯାଇଛି। ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୋଗ ରହିଛି ଯେ, ଅଭିଯୁକ୍ତ ଶିକ୍ଷକ ନାବାଳିକାଙ୍କ ସହ ଜୋରଜବରଦସ୍ତି ଯୌନ ସମ୍ପର୍କ ରଖୁଥିଲେ। ଏହି ସମୟରେ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପରିବାର ଲୋକେ ଗର୍ଭପାତ କରାଇବାକୁ ଚେଷ୍ଟା କରୁଥିଲେ।
ପୀଡ଼ିତାଙ୍କୁ ପ୍ରଥମେ ପରିବାର ଲୋକେ କିଶ୍ତୱାଡ ଜିଲା ହସ୍ପିଟାଲକୁ ନେଇଥିଲେ। ଗର୍ଭପାତ ମାମଲା ଜଟିଳ ଥିବାରୁ ହସ୍ପିଟାଲ ପକ୍ଷରୁ ତାଙ୍କୁ ଡୋଡା ରେଫର୍ କରାଯାଇଥିଲା। ପରିବାର ଲୋକେ ନାବାଳିକାଙ୍କୁ ଡୋଡା ନେଇଯାଉଥିବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣାର ପୁଷ୍ଟି କରି ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ମାମଲାରେ FIR ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS) ଏବଂ POCSO ଆଇନର ସମ୍ପୃକ୍ତ ଧାରା ଅନୁସାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଶିକ୍ଷକଙ୍କୁ ମଧ୍ୟ ହେପାଜତରେ ନିଆଯାଇଛି।
ପୋଲିସ ଅଧିକାରୀ କହିଛନ୍ତି, FIR ରୁଜୁ ହୋଇଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାମଲାରେ ଆଗକୁ ତଦନ୍ତ ଜାରି ରହିଛି। କେଉଁ ପରିସ୍ଥିତିରେ ନାବାଳିକାଙ୍କ ସହ ବଳାତ୍କାର ହେଲା ଏବଂ ପରେ ତାଙ୍କର ମୃତ୍ୟୁ କିପରି ହେଲା, ତାହା ଜାଣିବାକୁ ତଦନ୍ତ ଚାଲିଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।