ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି। ଜଣେ ୧୬ ବର୍ଷୀୟ ବଳାତ୍କାର ପୀଡ଼ିତାଙ୍କ ବାପା ଦାଏର କରିଥିବା ରିଟ୍ ପିଟିଶନ୍କୁ ଇନ୍ଦୋର ବେଞ୍ଚ୍ ବିଚାରପତି ସନ୍ଦୀପ୍ ଏନ୍ ଭଟ୍ଟ ଖାରଜ କରିଦେଇଛନ୍ତି। ଏଥିସହିତ ଅଦାଲତଙ୍କ ନିର୍ଦ୍ଦେଶକୁ ସମସ୍ତ ସମ୍ପୃକ୍ତ ହସ୍ପିଟାଲ ବିଶେଷକରି ସରକାରୀ ହସ୍ପିଟାଲଗୁଡ଼ିକ ନିକଟରେ ପହଞ୍ଚାଇବାକୁ ବିଚାରପତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯଦ୍ଦ୍ବାରା ସେମାନେ ଭବିଷ୍ୟତରେ ଏଭଳି ସ୍ଥିତିର ମୁକାବିଲା କରିପାରିବେ। ନାବାଳିକା ଜଣକ ବଳାତ୍କାରରୁ ୧୮ ସପ୍ତାହର ଗର୍ଭବତୀ ହୋଇଥିବାବେଳେ ଗର୍ଭପାତ ପାଇଁ ଅନୁମତି ଦେବାକୁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ମଙ୍ଗଳବାର ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।