ରାଜଧାନୀରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷାଙ୍କ ତଦନ୍ତ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୬।୧୧(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଆଦିବାସୀ ନାବାଳିକାଙ୍କୁ ବିଏମ୍‌ସି(ଭୁବନେଶ୍ୱର ମ୍ୟୁନିସିପାଲ୍‌ଟି କର୍ପୋରେଶନର) ଜଣେ ଡେପୁଟି କମିଶନରଙ୍କ ଘରେ ବଳାତ୍କାର କରାଯିବା ଘଟଣା ନେଇ କଡ଼ା ଆଭିମୁଖ୍ୟ ପ୍ରକାଶ ପାଇଛି। ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଗୁରୁବାର ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ଉକ୍ତ ମାମଲାର ତଦନ୍ତ କରିଛନ୍ତି। ଏହାପରେ ଅଧ୍ୟକ୍ଷା ପୀଡ଼ିତା ରହୁଥିବା ସ୍ଥାନ ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୀଡ଼ିତାଙ୍କୁ କିପରି ନ୍ୟାୟ ମିଳିବ ସେ ଦିଗରେ ଆମେ ଗୁରୁତ୍ୱ ଦେଇଛୁ। ଘଟଣା ସମ୍ପର୍କରେ ଯାଜପୁର ଏସ୍‌ପି ଚରଣ ସିଂ ମିନାଙ୍କ ସହିତ ଆଲୋଚନା କରିବେ। ସମ୍ପୃକ୍ତ ଡେପୁଟି କମିଶନର ଜଣେ ନାବାଳିକାଙ୍କୁ ଶିଶୁଶ୍ରମିକଭାବେ ନିଯୁକ୍ତି କରିଥିବାରୁ ତାଙ୍କ ନାମରେ ଚାଇଲ୍ଡ ଲେବର ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯିବ। ବାଲିଚନ୍ଦ୍ରପୁର ପୋଲିସ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ସହ ତାଙ୍କ ବୟାନ ରେକର୍ଡ କରିଛି। ଏହି ମାମଲାରେ ଖୁବ୍‌ଶୀଘ୍ର ଚାର୍ଜଶିଟ୍‌ ଦାଖଲ କରିବାକୁ ସେ ପୋଲିସ ସହିତ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ପୀଡ଼ିତାଙ୍କୁ ମାନସିକ ସ୍ଥିରତା ଓ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ସେ କିପରି ଶିକ୍ଷାଲାଭ କରିବେ ସେଥିପାଇଁ ଶିଶୁ ସୁରକ୍ଷା ୟୁନିଟ୍‌ କାମ କରିବ। ପରିବାର ପ୍ରତି ଯଦି ବିପଦ ଥାଏ ପୋଲିସ୍‌ ତାଙ୍କୁ ସୁରକ୍ଷା ଦେବ ବୋଲି ଅଧ୍ୟକ୍ଷା ପ୍ରକାଶ କରିଥିଲେ। ତାଙ୍କ ସହ ଯାଜପୁର ଜିଲା ଶିଶୁ ସୁରକ୍ଷା ଆଇନ ଅଧିକାରୀ ତପନ ପଣ୍ଡା ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ନାବାଳିକା ସମ୍ପୃକ୍ତ ବିଏମ୍‌ସି ଡେପୁଟି କମିଶନରଙ୍କ ଭୁବେନଶ୍ୱରସ୍ଥିତ ଘରେ କାର୍ଯ୍ୟ କରୁଥିଲେ। ଡେପୁଟି କମିଶନରଙ୍କ ଶ୍ୱଶୁର ତାଙ୍କୁ ବଲାତ୍କାର କରିଥିଲେ ବୋଲି ପୀଡ଼ିତାଙ୍କ ମା’ ଗତ ସୋମବାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ.୩୦୬/୨୦) ରୁଜୁ କରିଥିଲା।