ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩ା୨: ବ୍ରହ୍ମପୁରର ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ସୋମବାର ଏକ ବଳାତ୍କାର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ପାଟପୁର ଥାନା ଅନ୍ତର୍ଗତ ପାଣ୍ଡୁରୁଖଲି ଗ୍ରାମର ଭଗବାନ ସେଠୀ।
ପ୍ରକାଶ ଯେ, ଭଗବାନ ବଡ଼ବଜାରରେ ଥିବା ଏକ ଲୁଗା ଦୋକାନରେ କାମ କରୁଥିଲେ। ସେ ଜଣେ ନାବାଳିକା ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ। ୨୦୨୧ ଅଗଷ୍ଟ ୨ରେ ସେ ଛାତ୍ରୀଙ୍କୁ ଅପହରଣକରି ଏକ ଲଜିଂରେ ରଖି ବଳାତ୍କାର କରିଥିଲେ। ପରେ ସେମାନେ ଏକ ହୋଟେଲରେ ଖାଇ ବସିଥିବା ବେଳେ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ ଗିରଫ କରି ମାମଲା ନମ୍ବର ୧୫୫/୨୧ରେ କୋର୍ଟ ଚାଲାଣ କରିଥିଲା। ଭଗବାନ କିଛିଦିନ ପରେ ଜାମିନ ପାଇଥିଲେ। ମାମଲାର ବିଚାର ବେଳେ ୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସୋମବାର ପ୍ରମାଣ ନ ମିଳିବାରୁ ଜଜ ଭଗବାନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ନାରାୟଣ ପଣ୍ଡା ଓ ମୁଦାଲାଙ୍କ ପକ୍ଷରୁ କୃଷ୍ଣ ପ୍ରସାଦ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।