ରାମ ମନ୍ଦିର ଦାନ ଟଙ୍କା ଚୋରି ମାମଲା: ୟୁପି ଏସ୍‌ଆଇଟିକୁ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୭ (ପି.ଟି.): ଅଯୋଧ୍ୟା ରାମମନ୍ଦିରକୁ ମିଳିଥିବା ଦାନ ଟଙ୍କା ଆତ୍ମସାତ୍‌ ଅଭିଯୋଗର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ଗଠନ କରିଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)କୁ ମାମଲା ଉପରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଏବଂ ଭି. ମୋହନଙ୍କ ଖଣ୍ଡପୀଠ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନୋଟିସ ଜାରି କରିଛନ୍ତି। ଦାନ ଟଙ୍କା ଚୋରି ବିବାଦର ନ୍ୟାୟସଙ୍ଗତ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ତଦନ୍ତ ଶେଷ କରିବାକୁ ନିବେଦନ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ୩ ପିଟିଶନରଙ୍କ ମଧ୍ୟରୁ ନରେନ୍ଦ୍ର କୁମାର ଗୋସ୍ବାମୀ ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାମମନ୍ଦିରର ପରିଚାଳନା କରୁଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସମସ୍ତ ଆର୍ଥତ୍କ କାରବାରର ଅଡିଟ୍‌ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି)ଙ୍କ ଦ୍ୱରା କରାଯିବାକୁ ସେ ନିବେଦନ କରିଥିଲେ। ଅଜୟ କୁମାର ରାୟ ଏବଂ ଦିନେଶ କୁମାର ଯାଦବ ଦ୍ୱିତୀୟ ପିଟିଶନରେ ଅନୁରୂପ ନିବେଦନ କରିଥିଲେ। ଏଥିସହିତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରିଥିଲେ। ତୃତୀୟ ଆବେଦନକାରୀ ଆର୍‌ଜେଡି ଏମ୍‌ପି ସୁଧାକର ସିଂ ମନ୍ଦିର ଟ୍ରଷ୍ଟ ଆର୍ଥତ୍କ କାରବାରର ଫୋରେନ୍‌ସିକ୍‌ ଅଡିଟ ପାଇଁ ନିବେଦନ କରିଥିଲେ।

Dharitri – Odisha’s No.1 Odia Daily

Share