ଚଣ୍ଡିଗଡ଼,୪ା୧: ରୋହତକର ସୁନାରିଆ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ୪୦ ଦିନର ପାରୋଲ ଦିଆଯାଇଛି। ପାରୋଲ ଅବଧି ମଧ୍ୟରେ ସେ ହରିୟାଣାର ସିରସାରେ ଥିବା ଡେରା ସଚ୍ଚା ସୌଦାରେ ରହିବେ। ରିପୋର୍ଟ ଅନୁଯାୟୀ, ଗୁରମିତ ରାମ ରହିମ ଖୁବ୍ଶୀଘ୍ର ସୁନାରିଆ ଜେଲରୁ ମୁକ୍ତ ହେବେ। ଦୁଇଜଣ ସାଧ୍ୱୀଙ୍କ ବଳାତ୍କାର ଏବଂ ସାମ୍ବାଦିକ ଛତ୍ରପତିଙ୍କ ହତ୍ୟା ପାଇଁ ସଜା କାଟୁଥିବା ରାମ ରହିମଙ୍କୁ ଏହି ଆଶ୍ୱସ୍ତି ଦିଆଯାଇଛି।
ରାମ ରହିମଙ୍କୁ ପୂର୍ବରୁ ଅନେକ ଥର ପାରୋଲ ଏବଂ ଫର୍ଲୋ ପ୍ରଦାନ କରାଯାଇଛି। ଶେଷଥର ପାଇଁ ତାଙ୍କୁ ୪୦ ଦିନର ପାରୋଲ ଦିଆଯାଇଥିଲା ସେପ୍ଟେମ୍ବର ୧୫ ତାରିଖରେ। ଏହି ୪୦ ଦିନର ପାରୋଲ ରାମ ରହିମଙ୍କ ଜେଲରୁ ୧୫ ତମ ମୁକ୍ତି ହେବ। ପୂର୍ବରୁ ଯେତେବେଳେ ତାଙ୍କୁ ୨୧ ଦିନ ଏବଂ ୪୦ ଦିନ ପାଇଁ ପାରୋଲ ଦିଆଯାଇଥିଲା, ସେ ସିରସାର ଡେରାରେ ରହିଥିଲେ। ଏଥର ପ୍ରଶାସନ ସ୍ପଷ୍ଟ କରିଛି ଯେ, ପାରୋଲ ଅବଧି ମଧ୍ୟରେ ତାଙ୍କର ବାସସ୍ଥାନ ସିରସା ଡେରାରେ ରହିବ।
ଦୁଇଜଣ ସାଧ୍ୱୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ରାମ ରହିମଙ୍କୁ ସିବିଆଇ କୋର୍ଟ ଦଶ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ, ଯାହା ମୋଟ ୨୦ ବର୍ଷ। ପରବର୍ତ୍ତୀ ସମୟରେ, ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲେ। ଡେରା ପରିଚାଳକ ରଣଜିତ ସିଂହଙ୍କ ହତ୍ୟା ମାମଲାରେ ମଧ୍ୟ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ ବର୍ତ୍ତମାନ ଏହି ସମସ୍ତ ମାମଲାରେ ରୋହତକର ସୁନାରିଆ ଜେଲରେ ତାଙ୍କ ସଜା କାଟୁଛନ୍ତି।
ରାମ ରହିମଙ୍କ ବାରମ୍ବାର ପାରୋଲ ବିଷୟରେ ପ୍ରଶ୍ନ ଉଠିଛି। ସାମ୍ବାଦିକ ଛତ୍ରପତିଙ୍କ ପୁଅ ଅଂଶୁଲ ମଧ୍ୟ ପାରୋଲ ଉପରେ ଆପତ୍ତି ଉଠାଇ କହିଛନ୍ତି ଯେ, ରାମ ରହିମ ଜଣେ ସାଧାରଣ କଏଦୀ ନୁହନ୍ତି ବରଂ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ତଥାପି ହରିୟାଣା ହାଇକୋର୍ଟରେ ଦାଖଲ କରାଯାଇଥିବା ଏକ ସତ୍ୟପାଠରେ ହରିୟାଣା ସରକାର ରାମ ରହିମଙ୍କୁ ଦୁର୍ଦ୍ଦାନ୍ତ ଅପରାଧୀ ବୋଲି ମାନିବାକୁ ମନା କରିଛନ୍ତି। ସରକାର କହିଛନ୍ତି, ରାମ ରହିମ ଜେଲରେ ଭଲ ଆଚରଣ କରୁଥିବା କଏଦୀ ଏବଂ ଜେଲ ନିୟମ ଅନୁଯାୟୀ, ଜଣେ କଏଦୀ ବର୍ଷରେ ୯୦ ଦିନ ପର୍ଯ୍ୟନ୍ତ ପାରୋଲ ପାଇପାରିବେ।


